ଆକାଶ
ଆକାଶ
ସୁବିଶାଳ ନୀଳ ଛାତିରେ, ଆକାଶ!
ମହାଶୂନ୍ୟତାକୁ ଢାଙ୍କି,
ସୂର୍ଯ୍ୟ-ଚନ୍ଦ୍ର- ତାରା-ମେଘମାଳା ସବୁ
କୋଳେଇ ରଖିଛି କତି ।
ତାପେ ସନ୍ତାପିତ ପ୍ରକୃତିର ପ୍ରାଣ
କରିବାକୁ ପ୍ରଶମନ,
ନୀଳ ନଭ କରେ ଜଳଦ ଘଟରୁ
ବାରି ଧାରା ସିଂଚରଣ ।
ନିର୍ଲିପ୍ତ ନିର୍ଲୋଭୀ ଯୋଗୀଟିଏ ପରି
ନିରାମୟ ମହା ମାନୀ,
ମହତ ଗୁଣର ବିଶାଳତା ନେଇ
ତୁମେ ପରା ମହା ଦାନୀ !
ପଞ୍ଚଭୂତେ ଗଢ଼ା ପ୍ରାଣୀର ଶରୀରେ
ଜାଣି ସ୍ଵ-ଅଂଶ ପ୍ରମାଣ,
ଉଚ୍ଚାସନେ ରହି ପାଶୋରିନି ନଭ
ଆପଣା କର୍ତ୍ତବ୍ୟ ମାନ ।
ପ୍ରହେଳିକା ନୁହେଁ ଆକାଶର ଏହି
ଦିବ୍ୟ ନୈସର୍ଗିକ ପ୍ରେମ,
ପ୍ରତିଦାନ ଆଶା ମନରେ ନରଖି
କରେ ଜୀବନର ଦାନ।
ହେ ଆକାଶ ! ତୁମେ ମୂଢ ମଣିଷକୁ
ଦେଉଥାଅ ନୀତି ଶିକ୍ଷା,
ପ୍ରମତ୍ତେ ନଭୁଲୁ ଆପଣାର ସହ
ଆପଣା ଜନର ରକ୍ଷା।