ଚମ୍ପି ଆଈ ଜୋଇଁ ଅଫିସର
ଚମ୍ପି ଆଈ ଜୋଇଁ ଅଫିସର
ଚମ୍ପିଆଈ ମନ କୁଣ୍ଢେମୋଟ
ଝିଅ ଜୋଇଁ ସଙ୍ଗେ ହେବ ଭେଟ ।
ଏତେଦିନ ପରେ ସହର ଯାଉଛି
ଅଛି ଆଉ ଜମା କିଛି ବାଟ ।
ଜୋଇଁ ତା'ର ବଡ଼ ଅଫିସର
ସହରେ କରିଛି କୋଠାଘର ।
ଝିଅ କହେ ସବୁ ଆଣି ସେ ଦିଅନ୍ତି
ଯେତେବେଳେ ଯାହା ଦରକାର ।
ଗାଆଁକୁ ଆସନ୍ତି ଯଦି କେବେ
ଅସୁବିଧା ତାଙ୍କୁ ହୁଏ ତେବେ ।
ସବୁ ଅବାଗିଆ ଲାଗେ ତାଙ୍କୁ ଏଠି
କହନ୍ତି ସଅଳ ଫେରିଯିବେ ।
ମଣ୍ଡା ଆରିସା ସେ ଖାଆନ୍ତିନି
ଚକୁଳି ଏଣ୍ଡୁରି ଛୁଅଁନ୍ତିନି ।
ଏଗୁଡ଼ା କୁଆଡ଼େ ମଫସଲି ଖାଦ୍ୟ
ଖୋଜନ୍ତି ବ୍ରେଏଡ ଚାଓମିନ୍ ।
ସରାଗରେ ସାହି ଲୋକ ଆସି
ପଚାରନ୍ତି ଯଦି କିଛି ହସି ।
କହନ୍ତି ସେ ମୋତେ ଡିଷ୍ଟର୍ବ କରନା
କହେନି ମୁଁ ଜମା କଥା ବେଶୀ ।
ଗାଆଁର ଚଳଣି ରୀତି-ନୀତି
ଦେଖି ସେ ଯାଆନ୍ତି ରାଗେ ତାତି ।
କହନ୍ତି ଯେତେକ କୁସଂସ୍କାର ସବୁ
ଏ ଗାଉଁଲି ଲୋକ ଜାଣିଛନ୍ତି ।
ଶୁଣି ଜୋଇଁଙ୍କର ସେଇ କଥା
ହୁଏନି ଆଈର ମନେ ବ୍ୟଥା ।
ପଚାରିଲେ କହେ ଏଡ଼େ ଲୋକ ସିଏ
ଅଛି ଖାନଦାନୀ ଶୋଭାଵଟା ।
ସହରରେ ଗାଡ଼ି ଅଟକିଲା
ଚମ୍ପିଆଈ ଏବେ ଓହ୍ଲାଇଲା ।
ଚାଟ ଘୁଗୁନି ଚାଓମିନ୍ କିଣି
ଝିଅଘର ଆଡ଼େ ମୁହାଁଇଲା ।
ଜୋଇଁ ଦେଇଥିବା ଠିକଣାରେ
ମିଳିଲା ସେ ଏକ କୋଠାଘରେ ।
ରାଲି ରାଲି ବୋଲି ନାତୁଣୀକୁ ତା'ର
ଡାକ ପକାଇଲା ସରାଗରେ ।
ପାଟି ଶୁଣି ତା'ର ଦରୁଆନ
କହିଲା-"ହାଁ ହାଁ ସାବଧାନ ।
ଦିଶୁନି-ଏଇଟା ବିଦ୍ୟାଳୟ ପରା
ଛାତ୍ର କରୁଛନ୍ତି ଅଧ୍ୟୟନ !!"
କଅଣ କରିବ ଏବେ ଆଈ
ଏଇ ଠିକଣା ତ ଦେଲେ ଜୋଇଁ ।
ଝିଅ ଜୋଇଁ ଫଟୋ ଦେଖାଇଲା କାଢ଼ି
ଆସିଥିଲା ଘରୁ ସାଥେ ନେଇ ।
ପଚାରିଲା ଯାଇ ୟାକୁ ତାକୁ
"ଚିହ୍ନିଛ କିଏ ସେ ଏ ବାବୁଙ୍କୁ?"
ହସ ହସ ମୁହେଁ କହିଦେଲେ ଜଣେ
"ନିତି ମୁହିଁ ଦେଖେ ଏମାନଙ୍କୁ ।"
ତାଙ୍କଠୁଁ ଠିକଣା ବୁଝି ଆଈ
ତରତର ହୋଇ ଗଲା ଧାଇଁ ।
ଦେଖିଲା ସେ ଦେବୀ ମନ୍ଦିର ଦୁଆରେ
ବସିଛନ୍ତି ତା'ର ଝିଅ ଜୋଇଁ ।
ହାତେ ଅଛି ତାଙ୍କ ଭିକ୍ଷା ଡବା
ପିନ୍ଧିଛନ୍ତି ଚିରା ଫଟା ଲୁଗା ।
ଗେହ୍ଲି ନାତୁଣୀଟା ଦାଣ୍ଡେ ଗଡ଼ି ମାଗେ
"ଖାଇନି ମୁଁ କିଛି ଦିଅ ବାବା ।"
ଦେଖି ଝିଅ ଜୋଇଁ ରୂପ ଭେକ
ବଢ଼ିଗଲା ଆଈ ରକ୍ତଚାପ ।
ମୁଣ୍ଡ ଘୂରିଗଲା-କଚାଡ଼ି ପଡ଼ିଲା
ପଚାରିଲା-"କିସ କଲ ବାପ !!
ପୋଡ଼ୁ ତୁମର ସେ ମୁହଁଟାଣ
ଏଇଟାକୁ କୁହ ବଡ଼ ପଣ ।
ଲାଜ ନାହିଁ ଟିକେ ଭିକ ମାଗୁଅଛ
ବାପ ମାଆ ଛୁଆ ତିନିଜଣ !!
ହେଲ ତୁମେ ଏଡ଼େ ଅବିବେକ
ଜୀବନକୁ ତୁମ ଶତଧିକ ।
ବୁଢ଼ୀ କାଳେ ମୋର ବିଶ୍ୱାସ ଭାଙ୍ଗିଲ
ଅକାରଣେ ଯାହା ଦେଲ ଦୁଃଖ ।
କର୍ମକୋଢ଼ି କିଏ ତୁମ ପରି
ଅରଜି ପାରୁନ କାମ କରି ।
ଝିଅ ଜୋଇଁ ଦେଖା ବହୁତ ହେଲା-ମୁଁ
ଗାଆଁକୁ ଯାଉଛି ଏବେ ଫେରି ।"