କବିତା - ଚକାଭଉଁରୀ
ରଚନା - ପଞ୍ଚାନନ ଜେନା
ତାରିଖ -୨୯-୦୬-୨୦୨୫
ଫକୀରମୋହନ କଲେଜ , ବାଲେଶ୍ବର
ଆଉ ଭାଗିରଥି ନାୟକ ସାରଙ୍କ
ସାହିତ୍ୟ କ୍ଲାସର ରସ ରଞ୍ଜିତ ଚିତ୍ରାହାର
ମନେ ପଡିଗଲେ
ସ୍ୱତସ୍ଫୁର୍ତ୍ତ ଜିଭରେ ଆସେ ଆଲୋଡ଼ନ
ତାଙ୍କ ପଠିତ କଥିତ କବିତା ସବୁ
ଉତୁରି ଗଡନ୍ତି ମନ ନଦୀର ବାଲୁକା କୋଳେ
ସତରେ ସାହିତ୍ୟ ଜୀବନ୍ତ ଅନୁଭୁତି ଉଦବେଳନ ଆଉ ଅଙ୍ଗେଲିଭା ପ୍ରତିଫଳନ
ଜହ୍ନ ରାତିର ନିରୋଳା ତାତି
କୃଷ୍ଣଚୁଡ଼ାର ରଙ୍ଗୀନ କାତି
ନୀଳ ନୟନାର ନିଳିମାରେ ଦିଶିଗଲେ
ଜାଣ ଶ୍ରାବଣରେ ବି ଫଗୁଣ ବାସେ
ଇନ୍ଦ୍ରଧନୁର ଧନୁରେ ରକ୍ତ
ଆକାଶର ରଙ୍ଗରୁ ମୁକ୍ତ
ନୀଳ ମେଘମାଳା କୁନ୍ତଳା କବରୀରେ ବାସି ଗଲେ
ଜାଣ ତନ୍ଦ୍ରା ହଜିଯାଏ ନିଦ୍ରାରେ ମାସେ
ପେନ୍ଥା ପେନ୍ଥା ଫୁଲର ମହକ
ମନ୍ଦ ମନ୍ଦ ହସ ଛନ୍ଦର ଛଟକ
ନୀଳ ଭୂଧରମାଳାର ଅଙ୍ଗେ ଅଙ୍ଗେ ଦେଖି ପାରିଲେ
ଜାଣ ପ୍ରେମର ପ୍ରମାଣ ମିଳିଲା ଭଣଭଣ
ସାରଙ୍କ ପାଟିରୁ ସ୍ଫୁରଣ ତ ହେଉଥିଲା
ଶବ୍ଦ ସୁଧାନିଧି
ଅନର୍ଗଳ ଅନବରତ
ପାର୍ବଣ ଯାତ୍ରାରେ ପାଇପ୍ ଭିତରୁ ବାହାରେ
ଯେମିତି ମିଠାପାଣି ସର୍ବତ
କଣେଇ ଚାହିଁଦେଲି ଝିଅମାନଙ୍କ ପଟକୁ
ତୁମ ଆଖିରେ ଆଖି ମିଶିଗଲା
ଚାରି ଚକ୍ଷୁରେ ନବଯୌବନ ଦିଶିଗଲା
ମୋହନ ବଂଶୀ ବି ବାଜିଗଲା ଜମିଗଲା
ତୁମେ ବି ଫିକ୍ କିନା ହସିଦେଲ
ତୁମ ମୁରୁକି ହସର ବ୍ୟାପ୍ରିରେ
ତୁମ ଚମ୍ପାଫୁଲିଆ ଗାଲ ଭଉଁରୀ ଦୀପ୍ତିରେ
ମୁଁ ଖେଳୁଥିଲି ଚକା ଭଉଁରୀ
କାହିଁ କେଉଁ ଲବଙ୍ଗ ପ୍ରବାଳ ପୋହଳା ଦ୍ବୀପରେ
ମୋତେ କିଛି ଶୁଭୁ ନଥିଲା
କେବଳ ଗଜୁରୁଥିଲା ପ୍ରେମାଙ୍କୁର
ଆଖି କୋଣରୁ ବ୍ୟାପି ଥିଲା
ମନ ମସ୍ତିସ୍କର ଛାତ ଦେଇଁ
ମନ ମନ୍ଦିରେ ରତ୍ନବେଦୀରେ ସ୍ଥାନଦେଇ
ସାରିଥିଲା
ସେହି ପ୍ରଥମ ପ୍ରେମର ପ୍ରଥମ ଚିଆଁ
ଆଜି ବି ଜୀବନ ଅପରାହ୍ନେ କରେ କିମିଆଁ
କାଳେ ଅକାଳେ ମନକୁ ଧସି ପଶିଲେ
କେଇ ବୁନ୍ଦା ଲୁହ ଝରିପଡ଼େ ଆଖି କୋଣରୁ
କୋହମିଶା ରକ୍ତ ଆଭଟା ଅଙ୍ଗରା ନିଆଁ
ଆଉ ସେହି ତତଲା ଛାତିର ଲୁହ
ତଳକୁ ଗଡୁଥାଏ ଅଗ୍ର
ଓଠ ଦୁଇ ପିଇବା ପୂର୍ବରୁ
ପାପୁଲିରେ ପୋଛି ପକାଏ ଶୀଘ୍ର
କାଳେ କେହି ପଚାରି ବସିବେ
ମିଛ କେଇ ପଦ କହିବାକୁ ହେବ ବ୍ୟଗ୍ର |