STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଚିର ପ୍ରତୀକ୍ଷିତ

ଚିର ପ୍ରତୀକ୍ଷିତ

1 min
128

ଆଜି ବି ପ୍ରତୀକ୍ଷା 

ମୋ ଚିର କଳ୍ପିତ ସେଇ ପୁରୁଣା ' ତୁମ ' ପାଇଁ 

ଆଜି ବି ବର୍ଷା ହେଲେ

ମୁଁ ତୁମମନସ୍କ ହୁଏ ରାତିର ଆସକ୍ତ ଅଗଣାରେ

ତୁମେ ଚିର ପ୍ରତୀକ୍ଷିତ ସତ

କିନ୍ତୁ ମୁଁ ତୁମ ସହ ଜୀଇଁ ଉଠେ 

ଭାଙ୍ଗି ଯାଉଥିବା ପ୍ରତିଟି ମୁହୂର୍ତ୍ତରେ। 


ବେଳେବେଳେ ଅଚାନକ ଭୋକ ଯାଏ ମରି 

ଏଇ ଯେମିତି ଖାଇ ଉଠିଛି ଖୁବ୍ ପେଟ ଭରି

ତୁମେ ବୋଧେ ଛୁଙ୍କ ଦିଅ ଠିକ୍ ସେତିକି ବେଳେ

ତୁମ ରୋଷେଇଶାଳାରେ 

ମୁଗଡାଲି ମିଶା ଡାଲମାକୁ ଦେଶୀ ଗୁଆ ଘିଅରେ। 


ଏଇତ କାଲି ହଠାତ୍ ନିଦ ଗଲା ଭାଙ୍ଗି

ଚାଉଁ କରି ଅଧରାତିଟାରେ 

ତୁମେ ବୋଧେ ଉଠି ପଡ଼ିଥିବ

କେଉଁ ଏକ ଦୁଃସ୍ଵପ୍ନଟେ ଦେଖି ତୁମ ବିଛଣାରେ। 

ସକାଳଟା ଖୁବ୍ ବାସେ

ତୁମେ ଯେବେ ମନ ଖୋଲି ହସ 

ସଞ୍ଜ ମୋତେ ଖୁବ୍ ଆଦର କରେ

କେଜାଣି ସେ ତୁମଠାରୁ ପାଏ କି ସନ୍ଦେଶ !


ତୁମେ ସିନା ଦୂରେ ଗଲ କିନ୍ତୁ

ଋତୁ ମାନେ ମୋ ପାଖରେ 

ଆଜି ବି ଜୀବନ୍ତ ତୁମ ରୂପ ଧରି 

ତୁମର ସେ ଚିଠି ଉପହାର ପ୍ରଗଳ୍ଭ ହୁଅନ୍ତି

ତୁମ କଥା ଗପି ଗପି 

ଗୋଟି ଗୋଟି ସବୁ ପଢ଼ି ପଢ଼ି। 


ହଁ ତୁମେ ଆଜି ବି ପ୍ରତୀକ୍ଷିତ ସତ

କିନ୍ତୁ ନା ତୁମେ ଇପ୍ସିତ ନା ଆକାଂକ୍ଷିତ 

ତୁମ ଅନୁପସ୍ଥିତିରେ ତୁମେ ସାଜ ସହଯାତ୍ରୀଟିଏ

ତୁମ ବିନା ତୁମେ ହିଁ ମୋ ଜୀବନ ସଙ୍ଗୀତ। 



Rate this content
Log in

Similar oriya poem from Romance