ଚିଲିକା ଦର୍ଶନ
ଚିଲିକା ଦର୍ଶନ
ଚିଲିକାର ତୀରେ ଧୀରେ ଧୀରେ ଗଡି,
ଦେଖିବାକୁ ଦେ ତାକୁ 'ରେ ରେଳଗାଡ଼ି' I
ଉଇଁଛି ସୁରୁଜ ପୂରୁବ ଆକାଶେ,
ଝଲସେ ରୂପସୀ ତାହାର ପ୍ରକାଶେ I
ହୁମା ଆଉ ରମ୍ଭା, ପଛେ ରହିଗଲା,
ପାହାନ୍ତି ପାହିଲା ରାତି ସରି ଗଲା I
ଚଉଦିଗେ ଗୁଞ୍ଜେ ବିହଙ୍ଗଙ୍କ ସ୍ଵର,
ଜାଗ୍ରତ କଲାଣି ପ୍ରଭାତ ପ୍ରହର I
ଅଧୀରା ଉର୍ମିର ଦେହେ ନାଆ ଧରି
ସାଧନ ସନ୍ଧାନେ ଯାଉଛି ବାହାରି I
ମତ୍ସ୍ୟଜୀବୀ ବୁଝେ ଚିଲିକାର ମୂଲ,
ତାହା ଲାଗି ସିଏ ପରା ମାଆ ତୁଲ I
ହଂସ ହଂସରାଳି ପାଆନ୍ତି ଆଶ୍ରୟ,
ବିହଙ୍ଗର ସ୍ଵର୍ଗ' ଯାହା ପରିଚୟ I
ନଳବଣ ଯାହା ବକ୍ଷେ ପାଏ ଶୋଭା,
ଅଭୁଲା ଯାହାର ରୂପ ମନ ଲୋଭା I
ଚିଲିକାର କେବେ ବିଶ୍ଵ ସାରା କାହିଁ,
ସମତୁଲ କେହି ଖୋଜି ପାଇ ନାହିଁ I
ଯିଏ ସେ ଗଢ଼ିଛି, ସିଏ ହିଁ ବୁଝିଛି,
ଏତେ ସୁଖ ଏଠି କାହିଁକି ଖଞ୍ଜିଛି I
ଆଖିରେ ଦେଖିବି ସ୍ମୃତିରେ ରଖିବି,
ଫେରିବି କି ମୁଁହି ଆଉ ନ ଫେରିବି I
ହୃଦୟେ ରହିବ ନ ପଡି ମଳିନ,
ଚିଲିକାର ଛବି 'ସୃଷ୍ଟିର ଅଙ୍କନ' I