ଚହଟୁ ସୁମନ ବାସ
ଚହଟୁ ସୁମନ ବାସ
ଯାଏ କେତେ ବିତି ଉନ୍ମିଦ୍ର ରଜନୀ
ହୁଏ ନାହିଁ ଭୋକଶୋଷ
ଚିତ୍ରକର କବି ସୃଜନ କଳାରେ
ରହନ୍ତି ମଗ୍ନ ବିଶେଷ ।
ପାରେ ନାହିଁ ଦେଖି ମାନବୀୟ ଚକ୍ଷୁ
ସାଧାରଣ ଯେଉଁ କଥା
ଦେଖି ରୂପ ଦିଏ ଅର୍ନ୍ତମନେ ଶିଳ୍ପୀ
ଅପୂର୍ବ କଳାକାରିତା ।
ନିପୁଣ ଶିଳ୍ପୀର ନିହାଣ ମୂନରେ
ନିରସ କାଷ୍ଠ ପାଷାଣେ
ଫଳ ପୁଷ୍ପ ଲତା ଲାଗନ୍ତି ଜୀବନ୍ତ
କୁହେ କଥା ମୂର୍ତ୍ତିମାନେ ।
ହୁଏ ଅଭିବ୍ୟକ୍ତ ପ୍ରକୃତି ସୌନ୍ଦର୍ଯ୍ଯ
ମଧୁମୟ ପ୍ରୀତିପ୍ରେମ
କାବ୍ଯ ଉପନ୍ୟାସ କବିତାର ଛନ୍ଦେ
ଜୀବନ ପ୍ରବହମାନ ।
ଅନୁରଞ୍ଜେ ରଙ୍ଗେ ରଚନାତ୍ମକତା
ଅନୁରାଗ ଚିତ୍ରକର
ଖୋଜଇ ପ୍ରଶାନ୍ତି ନୀଳ ନୀଳିମାରେ
ସବୁଜେ ସତ୍ଯ ସୁନ୍ଦର ।
ଆଶାର ଦ୍ୟୋତକ କଳା ସୁସଂସ୍କୃତି
ପ୍ରାଣରେ ଭରେ ଉଲ୍ଲାସ
ବିକଶୁ ସାହିତ୍ଯ ସୃଜନଶୀଳତା
ଚହଟୁ ସୁମନ ବାସ ।
