"ଛତ୍ରପତି ଶିବାଜୀ"
"ଛତ୍ରପତି ଶିବାଜୀ"
ଭାରତମା' କାନ୍ଦୁଥିଲା ଯେବେ
ଗୁମୁରି ଗୁମୁରି ପୁଣି,
ସନ୍ତାନ ଥିଲେ ବି ବଡ଼ ବଡ଼ ଯୋଦ୍ଧା
ଚୁପ୍ ଥିଲେ ସବୁ ଶୁଣି।
ଏଇଭଳି ଏକ ସନ୍ଧି ସମୟରେ
ଜନମ ନେଲେ ତ ବୀର,
ରଚିଗଲେ ସେହି ନୂଆ ଇତିହାସ
ସ୍ଥାପି ପୁନଃ ହିନ୍ଦୁ ରାଷ୍ଟ୍ର।
ଜାଣିଅଛୁ ଆମେ ଜଣାତ ପଡଇ
ପିଲାବେଳୁ ହିଁ ଚରିତ୍ର,
କଅଣ ହେବ ସେ ଭବିଷ୍ୟ ସମୟେ
କାର୍ଯ୍ୟକଳାପ କହେ ତ।
ଶିବା ଯେବେ ଥିଲେ କୁନି ପିଲାଟିଏ
ଗୋ ମାତାର ଦେଖି କାନ୍ଦ,
ହସ୍ତେ ଖଡ୍ଗ ଧରି ବିଧର୍ମୀ ହାତରୁ
ଛିଣ୍ଡାଇଲେ ମୃତ୍ୟୁ ଫାନ୍ଦ।
ମାତା ଜୀଜାବାଈ ଅନେକ କଷ୍ଟରେ
ଗଢିଥିଲେ ନିଜ ପୁତ୍ର,
ହିନ୍ଦୁ ରାଷ୍ଟ୍ର ସଂସ୍ଥାପନାର ସ୍ଵପ୍ନକୁ
କରିବାକୁ ଚରିତାର୍ଥ।
ମାଆ ଯାଇଥିଲେ କାମରେ ତ ଦିନେ
ଘରେ ଥିଲେ ଶିବା ଧନ,
କାନ୍ଦି କାନ୍ଦି ଯେବେ ମାଆକୁ ଖୋଜିଲେ
ଦାସୀ କଲା ସ୍ତନ୍ୟଦାନ।
ବୀରାଙ୍ଗନା ମାତା ଦେଖି ଏହି ଦୃଶ୍ୟ
ମନକୁ କଲେ କଠୋର,
ଓଲଟାଇ ପୁତ୍ର ବାନ୍ତି କରାଇଲେ
ଦୁଗ୍ଧ ତ ଦେଲେ ନିଜର।
ଦାସୀ ଦୁଗ୍ଧ ପାନେ କାଳେ ପୁଅ ତାଙ୍କ
ହରାଇବ କ୍ଷତ୍ରି ଗୁଣ,
ଭୟରେ ସେ କଲେ ଏ କଠୋର କାର୍ଯ୍ୟ
ରଚିଲେ ଉଦାହରଣ।
ଶିଷ୍ୟ ରୂପେ ଥିଲେ ପ୍ରିୟ ଗୁରୁଙ୍କର
ରାଜା ମଧ୍ୟେ ରାଜରାଜ,
ବୀର ଭିତରେ ଯେ ଶ୍ରେଷ୍ଠ ବୀର ଥିଲେ
ଛତ୍ରପତି ମହାରାଜ।
