ଛଳନାର ପରିଣାମ
ଛଳନାର ପରିଣାମ
ତୁମେ ମୋ ଜୀବନେ କଳା ରାତି ଏକ
ଦୁଃଖଦେଇ ଚାଲିଗଲ,
ଅମା ଅନ୍ଧକାର କାହିଁକି କେଜାଣି
ଜୀବନେ ମୋ ଭରିଦେଲ |
ତୁମରି ଉପରେ କେତେ ଯେ ଭରସା
ତୋଳିଥିଲି ମନେ ମନେ,
ଦେଖିଥିଲି ସ୍ବପ୍ନ ଆଗାମୀ ଦିନର
ଭରି ପ୍ରୀତି କେତେ ପ୍ରାଣେ |
କଥା ଦେଇଥିଲ ଜୀବନରେ କେବେ
ହାତ ମୋର ଛାଡିବନି,
ରଖିଲନି କିଛି ମୂଲ୍ୟ ସେ କଥାର
ଥରେ ହେଲେ ଭାବିଲନି |
କେଉଁ ଦୋଷ ଦେଖି ପର କଲ ମୋତେ
ଖୋଜି ମୁଁ ପାଉନି କିଛି,
ହୃଦୟ ଭରି ମୁଁ ଭଲ ପାଉଥିଲି
ଏବେ ବି ପ୍ରୀତି ରହିଛି |
ବିଶ୍ୱାସ କରି ମୁଁ ତୁମରି କଥାରେ
ନିଜକୁ ସମର୍ପି ଦେଲି,
ଵୁଝି ମୁଁ ନଥିଲି ତୁମରି ଛଳନା
ବିଶ୍ୱାସରେ ଭାସିଗଲି |
ତୁମରି ଭାଷାରେ ରଙ୍ଗ ଭରିଥିଲ
ଭୁଲାଇବା ପାଇଁ ମୋତେ,
ଏବେ ସବୁ ଫିକା କରିଦେଲ ତୁମେ
କଟୁ ଲାଗେ ସବୁ ସତେ |
ଏତେ କଥା ଯଦି ଥିଲା ତୁମ ମନେ
ମୋତେ ଥରେ ଭାବିଲନି,
ଝିଅଟିଏ ମୁଁ ଯେ କେମିତି ବଞ୍ଚିବି
ହୋଇ ଏକ କଳଙ୍କିନୀ |
ତୁମେ ସିନା ପୁଅ ଦୁନିଆରେ କେହି
ତୁମ ଦୋଷ ଦେବେ ନାହିଁ,
ସମାଜରେ କିନ୍ତୁ ଝିଅଟିଏ ପରା
ରହିବ ବାଛନ୍ଦ ହୋଇ |
ସରଗଟା ଆଉ ଭଲ ଲାଗୁନାହିଁ
ମୋ ପାଇଁ କି ସତେ ମ୍ଳାନ,
ତୁମ ଛଳନାରେ ଜୀବନର ସୁଖ
ହୋଇଛି ମୋ ଅବସାନ |