STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଅନୁମତି ଦେଲେ ତୁମେ

ଅନୁମତି ଦେଲେ ତୁମେ

1 min
203

ମୋ ହୃଦ ଈଶ୍ୱରୀ କରି ସଜାଇବି 

ଅନୁମତି ଦେଲେ ତୁମେ

ହସିବି ରସିବି ଅନ୍ତରେ ପୁଜିବି 

ଅନୁମତି ଦେଲେ ତୁମେ।। 


ଶବ୍ଦର ପାଖୁଡ଼ା ଗୁନ୍ଥି ପୁଷ୍ପ ହାର 

ଲମ୍ବାଇ ଦେବି ଗଳାରେ

ଭାବର କୁଙ୍କୁମ ଟିପି ଟିପି କରି 

ଆଙ୍କିଦେବି କପାଳରେ। 


ସୁଖ ଦୁଃଖ ସବୁ କାନେ ମୁଁ କହିବି 

ଅନୁମତି ଦେଲେ ତୁମେ

ପ୍ରତ୍ୟୁତ୍ତରେ ତୁମ କଥା ମୁଁ ଶୁଣିବି 

ଅନୁମତି ଦେଲେ ତୁମେ।। 


ହେ କବିତା ତୁମେ ଜୀବନ ସବିତା 

ତୁମ ବିନା ସରେ ଦିନ

କୋହଭରା ତପ୍ତ ନିଦାଘ ଶେଷରେ 

ଶ୍ରାବଣର ପଦ ଚିହ୍ନ। 


ତୁମ ସାଥେ ହସି ଭିଜିବି ମଜ୍ଜିବି 

ଅନୁମତି ଦେଲେ ତୁମେ

ଛନ୍ଦବଦ୍ଧ ମେଘ ମହ୍ଲାର ଗାଇବି 

ଅନୁମତି ଦେଲେ ତୁମେ।। 


ଶୀତ ସକାଳର କାକର ବୁନ୍ଦାରେ 

ତୁମେ ହସ କିରିକିରି

ଦୂର ପାହାଡ଼ର ରୁକ୍ଷ ଛାତି ଚିରି 

ନାଚି ନାଚି ଆସ ଝରି। 


ଉଜାଗରେ ତୁମ ପ୍ରତୀକ୍ଷା କରିବି 

ଅନୁମତି ଦେଲେ ତୁମେ

ତୁମ ଅଙ୍ଗ କାନ୍ତି ନିରେଖି ଦେଖିବି 

ଅନୁମତି ଦେଲେ ତୁମେ।। 


କାଗଜର ଶୁଭ୍ର ଶଯ୍ୟା ପାରିଦେଇ 

ଶୁଆଇବି ଶରଧାରେ

ଶୁଦ୍ଧ ପ୍ରୀତିଭରା ଭାବନା ଅତର 

ମାଖି ଦେବି କଳେବରେ। 


ମଳୟର ସୁପ୍ରବାହ ଆଣିଦେବି 

ଅନୁମତି ଦେଲେ ତୁମେ

ତାରା ଖଚିତ ଓଢଣୀ ଆଣିଦେବି 

ଅନୁମତି ଦେଲେ ତୁମେ।। 


ତୁମେ ମୋର କାବ୍ୟ ନାୟିକା ମୋ ହୃଦ-

ରଞ୍ଜନୀ ଗୋ ପ୍ରାଣପ୍ରିୟା

ତୁମ ବିନା ହୃଦ ସାଜେ ମରୁସ୍ଥଳ 

ତୁମ ବିନା ଶୁଷ୍କ କାୟା। 


ଜୀବନ ଯୌବନ ସବୁ ସମ୍ପିଦେବି 

ଅନୁମତି ଦେଲେ ତୁମେ

ନିଜକୁ ମୁଁ ଭୁଲି ତୁମେ ହୋଇଯିବି 

ଅନୁମତି ଦେଲେ ତୁମେ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance