ନିଆରା ବସନ୍ତ
ନିଆରା ବସନ୍ତ
ଆମ୍ବତୋଟା ମାଳେ ବଉଳ ହସଇ
ଫଗୁଣ ଥାପିଛି ପାଦ,
ପ୍ରେମ ପୁଷ୍ପେ ଦେବ ଭରି ମୋ ଜୀବନ
କହୁଛି ମୋହର ହୃଦ।
କୋଇଲି ଡାକିଲେ ଦୂର ତରୁ ଡାଳେ
ଆନମନା ଯାଏ ହେଇ,
ସତେ କି ଯେମିତି ପ୍ରେମର ସନ୍ଦେଶ
ଆସିଛି ମୋ ପାଇଁ ନେଇ।
ଦୂର ବନ ଦେଶେ ଆସର ଜମେଇ
&n
bsp; ଫୁଲେଇ ପଳାଶ ହସେ,
ହାତଠାରି ଡାକେ ନେବାକୁ ବୁଲେଇ
ଚନ୍ଦ୍ରଭାନୁର ଦେଶେ।
ମଳୟ ପବନ ମୃଦୁ ମୃଦୁ ବହି
ଯାଏ ଯେବେ ମତେ ଛୁଇଁ,
ମଧୁର ପରଶେ ତନୁ ମନ ମୋର
ଯାଏ ପୁଲକିତ ହୋଇ।
ଏସନ ବସନ୍ତ ଲାଗଇ ନିଆରା
ଲାଗେ ସବୁ ନୂଆ ନୂଆ,
ମନ ପକ୍ଷୀ ମୋର ଉଡି ବୁଲେ କାହିଁ
ପାଇ କେଉଁ ନୂଆ ରାହା।