ପ୍ରୀତି ବାନ୍ଧବୀ
ପ୍ରୀତି ବାନ୍ଧବୀ
ନୀରବ ନିଶୀଥେ ଆସ ପ୍ରିୟା ମୋହର ଆଙ୍ଗନେ
ସ୍ବାଗତ କରିବି ତୁମ୍ଭର ସୁମଧୁର ଉଷ୍ମ ଚୁମ୍ୱନେ ।
ଆସ ସଖି ଅବତରୀ ସରଗରୁ ବିଜନ ନିଶୀଥେ
ଖେଳିବି ମୁହିଁ ରଙ୍ଗରାସ ସରାଗେ ତୁମ୍ଭ ସାଥେ ।
ବହୁଦିନୁ ଖେଳୁଅଛ ତୁମ୍ଭେ ଲୁଚକାଳି ଦୂର ଗଗନରେ
ଆସ ପ୍ରାଣ ସହଚରୀ ନେବି ତୋଳି ବାହୁ ବନ୍ଧନରେ ।
ତୃଷିତ ପ୍ରାଣେ ମୋହର ଢାଳି ଦିଅ ପ୍ରୀତିର ମଦିରା
ତୁମ୍ଭ ମଧୁସ୍ପର୍ଶେ ମୋ ଜୀବନମରୁ ହୋଇବ ମଧୁଝରା ।
ପ୍ରତାରକ ପ୍ରବଞ୍ଚକ ନୁହେଁ ମୁହିଁ ତୁମ୍ଭ ସଚ୍ଚା ପ୍ରେମିକ
ତୁମ୍ଭ ପୟରେ ଲୋଟାଇବି ଦୁନିଆର ସବୁତକ ସୁଖ ।
ବାରେ ଭରସି ପରଖି ଦେଖ ମୋ ପ୍ରେମର ଗଭୀରତା
ଆସ୍ଫାଳନ କରୁନାହିଁ ଷୋଳ ଅଣା ସତ ମୋର କଥା ।
ତୁମ୍ଭ ପ୍ରୀତି ବିନା ପ୍ରେୟସୀ ନିଷ୍ପ୍ରାଣ ମୋ ହୃଦୟ ସ୍ପନ୍ଦନ
କେବଳ ତୁମ୍ଭକୁ ଲୋଡ଼େ ଏଇ ପ୍ରାଣ ଚିରଦିନ ଚିରନ୍ତନ ।