ଛଳନା-୨
ଛଳନା-୨
ଛଳନା ଗୋଟିଏ କୁଆଁରୀ କନିଆଁ
ମୋହିନୀ ତାହାର ନାଆଁ
ଓଢ଼ଣୀ ତଳେ ସେ ହସେ କିରି କିରି
ସଭିଙ୍କୁ କରେ କିମିଆ ।
କଳା ସୁନିପୁଣା ମହାବିଦ୍ୟା ସିଦ୍ଧା
ଅଦ୍ଭୁତ ତା ଠାଣି ମାଣି
ସଂଗୋପିତ ତାର ମନ ଅଭିଳାଷା
ସହଜେ ନହୁଏ ଜାଣି ।
ଗୋପ ନଗରୀର ଦୂତି ଚାରୁକେଶୀ
ସମ୍ମୋହନ ପାରଙ୍ଗମା
ହେଉ ଯୁଦ୍ଧ ଅବା ପ୍ରେମ ସୋହାଗରେ
ହାରି ଶିଖି ନାହିଁ ଜମା ।
ବେଶ ପରିପାଟୀ ଅଙ୍ଗ ଭଙ୍ଗୀ ତାର
ମନକୁ କରେ ମୋହିତ
ମଧୁର ଆତ୍ମିକ ବଚନେ ନିମିଷେ
କରିପାରେ ସର୍ବେ ବଶ ।
ହାସ୍ୟ ଲାସ୍ୟ ପ୍ରେମ ନୃତ୍ୟ ଗୀତ ଛନ୍ଦ
ପାକକଳା ସିଦ୍ଧ ହସ୍ତା
କଳ ଓ କୈ।ଶଳେ ଲକ୍ଷ୍ୟ ସାଧନ
ଛଳନାର ପରିଭାଷା ।
ଓଢ଼ଣା ଖୋଲିଲେ ଫିଟିଯାଏ ଯେବେ
ଭାନୁମତୀ ଦେବୀ ପେଡ଼ି
ଖୋଲେ ଛଳନାର ମୁଖ ଛଦ୍ମବେଶ
ଭଲମନ୍ଦ ହୁଏ ଜାଣି ।

