STORYMIRROR

Laxminarayan Sahoo

Tragedy

3  

Laxminarayan Sahoo

Tragedy

ଛକ ମଝିର ଗଛ

ଛକ ମଝିର ଗଛ

2 mins
251

 ଛକ ମଝିରେ ଉଧେଇବାଟା

ବୋଧେ ମୋ ପାଇଁ ଅଭିଶାପ ଥିଲା ।

କେଉଁ କାଳରୁ ମୁଁ

ମୋ ଈଶ୍ୱରଙ୍କ ଝୁଲାମୁଣି

ଭରି ପକାଉଥିଲି ପ୍ରେମରେ କୃତଜ୍ଞତାରେ ।

ମୋ ଭାଗ୍ୟକୁ ନିଅଣ୍ଟ ହେଉଥିଲା ମୋ ପ୍ରଶଂସା

ମୋ ପୂର୍ବ ଜନ୍ମ କର୍ମଫଳକୁ ନେଇ

ନିତି ଗାଉଥିଲି ଜୀବନର ଗୀତା ।

ଛକ ମଝିରେ ମୋ ଜନ୍ମ

ଚାରିଆଡେ ବିସ୍ତାରିତ ମୋ ସଂସାର

ମୂଳରୁ ଚୂଳ ଯାଏ

କାଣ୍ଡରୁ ପତ୍ର ଯାଏ

ଖୁନ୍ଦି ହୋଇ ରହିଥାନ୍ତି ମୋର ଆତ୍ମୀୟ ସୋଦର ।

ଗ୍ରୀଷ୍ମକାଳେ ଯେତେ ଯେତେ ବଢୁଥାଏ ତାତି

ମୋ ଗହଳ ଶାଖା ତଳେ

ଗହଳି ସେତିକି 

ଦୂର ଯାତ୍ରା ସାରି ପଥଶ୍ରାନ୍ତ ପଥିକଟେ

ମୋ ଛାଇରେ ଲଥ୍ କିନା ଯାଉଥାଏ ବସି

ମୋ ପତ୍ର ବିଞ୍ଛଣାର ମୃଦୁ ମୃଦୁ ପବନରେ

ନିଦ ଆସେ ମାଡ଼ି ।

ଉଦାସିନ ଗୃହସ୍ଥ ଟେ

ଅଭାବର ବୋଝ ମୁଣ୍ଡେଇ

ଆଉଜି ବସିଯାଏ ମୋତେ

ମୁଁ ତ କିଛି କରି ପାରେନାହିଁ

ହେଲେ ମୋତେ ଲାଗେ

ମୋ ପରମ ପରସେ

ତା' ବୋଝ ହାଲୁକା ହୋଇଯାଏ ସତେ ।

ସନ୍ଧ୍ୟା କାଳେ ପାଖ ମନ୍ଦିରରୁ ଭାସିଆସେ

ଘଣ୍ଟ ଘଣ୍ଟି ଧ୍ଵନି

ସେ କାଳରେ ମୋ ଡାଳରେ

ପତ୍ର ଗହଳରେ ଗୁଞ୍ଜରିତ ହେଉଥାଏ

ପକ୍ଷୀଙ୍କ କାକଳି

ହାଡ଼ଭଙ୍ଗା ଶୀତ ରାତି ହେଉ କି

ମୂଷଳ ବର୍ଷଣ ରାତି

ନିରାଶ୍ରୟ ଖୋଜି ଖୋଜି ଆସି

ହୋଇଯାଏ ମୋ ନିର୍ଜନ ବେଳାର ସାଥୀ ।

କେଉଁ କାଳରୁ ମୁହଁ ଖୋଲି ପାରି ନଥିବା

ପଥପ୍ରାନ୍ତ ସାକ୍ଷୀଟିଏ ମୁଁ

ମୁଁ ଦେଖିଛି କେତେ ଯାତ୍ରା ମେଳା ଓ ଉତ୍ସବ

ରଙ୍ଗ ହୋଲି ଫଗୁଣ ମେଳନ

ବାଡ଼ି ଖେଳ ମାହେଶ୍ୱରୀ ଶୋଭାଯାତ୍ରା

ରଥ ଓ ବାହୁଡା଼ ।

ସବୁଠୁ ବେଶି ସୁଖ ଦିଏ ମୋତେ

ପିଠିରେ ବସ୍ତାନି ଧରି ଏଇ ବାଟେ

ଛୁଆମାନେ ଯାଉଥାନ୍ତି ପଢ଼ି

ଫେରିବା ବାଟକୁ ଚାହିଁ ବସିଥାଏ

ଗୋଟି ଗୋଟି ଗଣୁଥାଏ

କେହି କାହିଁ ଯାଇନି ତ ରହି ।

କେବେ କେବେ ଉଠା ଦୋକାନୀଏ

ମାଡ଼ି ବସନ୍ତି ମୋ ଛାଇଯାକ

ମୁଁ ନିରୁତ୍ସାହିତ କରି ନାହିଁ ସେମାନଙ୍କୁ

କାରଣ ସେମାନେ ବି ତ

ବକଟେ ଛାଇ ଦେଉଥିବେ କାହାପାଇଁ

ଖାଲି ଟିକେ ଟିକେ ଭୟ ଲାଗେ 

ମୋ ଛାଇରେ ପଡ଼େ ଯେବେ ପୋଲିସି ଛାଉଣୀ ।

ବେଶି ଭୟ ଲାଗିଥିଲା ସେଇଦିନ

ଯେଉଁ ଦିନ କିଛି ନିଷ୍ଠୁର ଲୋକ

ମାପୁଥିଲେ ମୋର ଚାରିକଡ

ଦୋକାନ ସଡ଼କ

କହୁଥିଲେ ମୁଁ କୁଆଡ଼େ ପ୍ରଗତିରେ ଅନ୍ତରାୟ ।

ମୁଁ ବୁଝିଛି ସେ କଥା

ହେଲେ କେମିତି ବୁଝାଇବି ମୋ ଆଶ୍ରିତଙ୍କୁ

ଏ ଡହ ଡହ ଖରାରେ

ଛାଇ ଖୋଜୁଥିବା ସଚରାଚରଙ୍କୁ ।

ମୁଁ କ'ଣ ବୁଝି ନେବି

ଏତେ ଦିନ ଧରି ଛକ ମଝିରେ ଆସ୍ଥାନ ଜମେଇବା

ମୋ ପାଇଁ ପାପ ଥିଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy