ଛଦ୍ମମୁଖା
ଛଦ୍ମମୁଖା
କେତେ ପ୍ରେମ କାହାଣୀର ସୂତ୍ରଧର
ଅଳପ ସଳପ ଗଳ୍ପର ନାୟକ
ଛୋଟ ଜୀବନ ଦୁଇ ଚାରି ଦିନର
ବସା ବାନ୍ଧିଥାଏ ଅସରନ୍ତି ମହକ ।
କେତେ କଳି କଜିଆର ମୂଖ୍ୟ କାରକ
ମିଛ ସତ ଯୋଡି ଖଚୁଆ ପେଞ୍ଚୁଆ
ଧୂଆଁବାଣ ମାରି ସମସ୍ୟା ଆବିଷ୍କାରକ
ଦୁଇ ପକ୍ଷ ମୁଣ୍ଡ କାଟ ପାଇଁ ଆଗୁଆ ।
କେତେ ହୃଦୟକୁ ହାଣି ବାଙ୍କ ଚାହାଣୀ
ମିଛ ଅଭିନୟେ ପ୍ରେମ ସପନ
ସମୟ ସୁବିଧା ଦେଖି ନୂଆ ଠିକଣା ପରଖି
ଭାଙ୍ଗି ଦେଲ କେତେ କୋମଳ ମନ ।
କେତେ ଆସନ୍ତି କେତେ ଯାଆନ୍ତି ଯାତ୍ରା ପଥେ
ରେଖାଚିତ୍ର ପରି କ୍ଷଣିକ ଘଡିକ
କେହି ମିଳନ୍ତି ଜନ୍ମ ଜନ୍ମାନ୍ତର ଡେଇଁ କକ୍ଷପଥେ
ଆତ୍ମାରେ ବସନ୍ତି ସର୍ବକାଳିକ ।
ମନର ମିଳନ ବୁଣେ ହରରଙ୍ଗୀ ସାମିଆନା
ଛୁଏଁ ବାହୁକାୟାର ମାୟା ଅଞ୍ଜନ
ଜ୍ୟୋତ୍ସ୍ନା ବିଧୌତ ରଜନୀ କୋଳରେ ଅନା
ଛାତ ଉପରେ କେତେ ଗଡ଼ାପଡ଼ା ଫୁଲବନ ।
ବାୟାଣୀ ଚାହାଣୀ ଆଙ୍କେ ଅନୁପମ କାହାଣୀ
ଉଡେଇ ନିଏ ଆଖିର ନିଦ
ସବୁ ପ୍ରେମର ଗୋଟେ ଅଛି ମିଠା କାହାଣୀ
ବାୟା-ବାୟାଣୀ କାନ୍ଦ-କୁଦ ।
ପ୍ରେମ ପ୍ରତାରଣା ସ୍ନେହ ଏଠି ବାଟବଣା
ଦେହ ଭୋକ ପାଇଁ ମରୁଛି ନିତି
ବିଭୁ ପ୍ରେମ ପାଇଁ ସମୟ ହିଁ କଟକଣା
କକ୍ଷଚ୍ଯୁତ ହୋଇ ଝୁଣ୍ଟୁଛି ପ୍ରତି ।
ସମୟର ମୂଲ୍ୟ ଜାଣୁନି ଅମୂଲ୍ୟ
ଅକାରଣେ କଳି କରେ ଭିଆଣ
ନୀତି ଆଦର୍ଶର ଛଦ୍ମମୁଖା ତୁଲ୍ୟ
ପ୍ରେମ ବେପାରେ ଚମଡ଼ା ଭକ୍ଷଣ ।
