ଛାଇ ଆଲୁଅ
ଛାଇ ଆଲୁଅ
ସୁଖ ଦୁଃଖର ସେ ଛାଇ ଆଲୁଅରେ
ନିତି ଦିନର ଜୀବନ
ତେଲ ଲୁଣର ସେ ନିଅଣ୍ଟ ସଂସାରେ
ଦେଖେ ଆକାଶର ଜହ୍ନ।।
ହାତ ବଢାଇ ଲେ ଚାଲିଯାଏ ଦୂରେ
ପଦ୍ମ ପରି ଘୁଞ୍ଚି ଘୁଞ୍ଚି
ଛାତି ତଳେ ଯାହା ମେଞ୍ଚା ମେଞ୍ଚା କୋହ
ଜମାଟ ବାନ୍ଧି ରହିଛି ।
ପରସ୍ତ ପରସ୍ତ ଅନ୍ଧକାର ଖାଲି
ଅବିଶ୍ବାସ ନିଆଁ ଭଳି
ମୁହୂର୍ତ୍ତକରେ ସେ ବିଚ୍ଛୁରିତ ହୁଏ
ଦେବା ପାଇଁ ପୋଡି ଜାଳି ।
ଜଳି ଜଳି ଯାଏ ଜୀବନ ସଳିତା
ଲୁହର ଦୁଇ ଆଖିରେ
ପଣତ ଭିଜଇ ମନର ନଈରେ
ଲେଖା ଭାଗ୍ଯରେଖା ଧାରେ।
ଏକଳ ସେକୂଳ ପାରି ହେବା ପାଇଁ
ଭାସଇ ଜୀବନ ତରୀ
ଅଦିନ ବର୍ଷାରେ ବଇଶାଖୀ ଝଡ
ଡାକୁ ଥାଏ ହାତ ଠାରି।।
ଜୀବନର ସଂଧ୍ୟା ଆସଇ ପାଖେଇ
ନିଦ ଭରା ରାତି ନେଇ
ମନ ବନ୍ଧା ପଡେ ସପନ ଆଖିରେ
କୁଆଁରୀ ଚିତ୍ରଟେ ହୋଇ।