ନୀରବତା
ନୀରବତା
ହଁ ଜାଣେ ତୁମେ ସେଇ ପୁନେଇଁ ରାତିର ଜହ୍ନ,
ମୋ ହାତ କେବେ ତୁମକୁ ଛୁଇଁଛି
ନା କେବେ ଛୁଇଁ ପାରିବି ,
ହଁ ଜାଣେ ତୁମେ ସେଇ ପୁନେଇଁ ରାତିର ଜହ୍ନ ।
ହଁ ଜାଣେ ତୁମେ ସେଇ ସକାଳର ସୁନେଲି କିରଣ,
ଯାହାର ଶୀତଳ ସୁନେଲି ଉତ୍ତାପକୁ
ଅନୁଭବ କରିଛି ନା କେବେ କରିପାରିବି ,
ହଁ ଜାଣେ ତୁମେ ସେଇ ସକାଳର ସୁନେଲି କିରଣ।
ହଁ ଜାଣେ ତୁମେ ସେଇ ନଦୀର କୁଳୁକୁଳୁ ନାଦ,
ଯାହାର ନୀରବ ନାଦକୁ ବୁଝି ପାରିଛି
ନା କେବେ ବୁଝି ପାରିବି,
ହଁ ଜାଣେ ତୁମେ ସେଇ ନଦୀର କୁଳୁକୁଳୁ ନାଦ ।
ହଁ ଜାଣେ ତୁମେ ସେଇ ଦୁଇ ପଦ ନିରାଟ ସତ୍ୟ,
ଯାହାର ଶବ୍ଦକୋଷକୁ କେବେ ବୁଝି ପାରିଛି
ନା କେବେ ବୁଝି ପାରିବି,
ହଁ ଜାଣେ ତୁମେ ସେଇ ଦୁଇ ପଦ ନିରାଟ ସତ୍ୟ ।
ହଁ ଜାଣେ ତୁମେ ସେଇ ଗୋଲାପି ଓଠର ନୀରବତା
ଯାହାର କହିବା ଶୈଳୀକୁ କେବେ ବୁଝି ପାରିଛି
ନା କେବେ ବୁଝି ପାରିବି,
ହଁ ଜାଣେ ତୁମେ ସେଇ ଗୋଲାପ ଓଠର ନୀରବତା ,
ହଁ ତୁମେ ସେଇ ମୋର ନୀରବତା ।

