ଚେତନା
ଚେତନା
ପ୍ରତି ରାତିରେ
ନିର୍ବାଣର ପଥ ଖୋଜିଖୋଜି
ଧ୍ୟାନସ୍ଥ ହୁଏ ମୋ ଜଡଦେହ
ବୁଡି ଯାଇଥାଏ ଚେତନ ଶକ୍ତି
ନିଦରେ ଶୋଇଥିବାବେଳେ
ବେଢିଥାଏ ବହଳ ଅନ୍ଧାର।
ସ୍ପନ୍ଧିତ ଅଚେତନ ହୃଦୟ
ମାପୁଥାଏ ନିଦ୍ରାର ଗଭୀରତା
ମୃଦୁ କମ୍ପନରେ ଥରୁଥାନ୍ତି
ରକ୍ତବାହିକାମାନେ।
ନାରୀ ଦେହର କୋମଳ ଛାଇଟିଏ
ବାହାରି ଆସେ ମୋ ଘଟରୁ
ଛାତି ଉପରେ ଚକାମାଡି ବସି
ମୃତ୍ୟୁଞ୍ଜୟ ମାଳା ଗଡାଉଥାଏ।
ଅକଳ୍ପନୀୟ, ଅଦ୍ଭୂତ ସେ ଦୃଶ୍ୟ
ସ୍ବପ୍ନ ଭଳି ଦିଶେ ଛାଇଛାଇ
ରାତିର ଚିତ୍ରିତ ଅନ୍ଧାର ଭଳି।
ଜୀବନ ଏମିତି ଏକ ନଈ
ଏପଟେ କୁମ୍ଭୀର, ସେପଟେ
ବାଘ ଘାଟକୁ ଜଗି ବସିଥାନ୍ତି।
ବାସ୍ତବତା ଓ ସ୍ବପ୍ନରେ ଫେଣ୍ଟି
ହୋଇ ନିମ୍ନଗାମୀ ଧାରା ବହୁଥାଏ
ଊର୍ଦ୍ଧ୍ବାୟିତ ହେଉଥାଏ ଅନ୍ତଃସ୍ରୋତ
ଭେଟିବାକୁ ସୃଷ୍ଟିର ରହସ୍ୟ।
ନଈପଠା ରାତି ଅନ୍ଧାରରେ
ଦିଶେ ପ୍ରହେଳିକାଚ୍ଛନ୍ନ
ଜହ୍ନରାତି , କୁହୁକ ବୁଣେ
ଯେଉଁଠୁ ଭାସି ଆସେ ମଧୁର
ବଂଶୀସ୍ବନ। ପୁଷ୍ପିତ ହୁଏ
ମହାଚେତନାର କଦମ୍ବବନ
ସଂସାରକୁ ମୋହିନିଏ।
ପ୍ରତି ରାତିରେ ବଂଶୀ ସ୍ବରକୁ
କାନ ଡେରିଥାଏ ଆତ୍ମାରୂପୀ
ସ୍ବାଧୀ ବେଶୀ ବିଦେହୀ ନାରୀ।
ମହାରାସ ଲାଗି ଆସକ୍ତ ହୁଏ।
ପରକୀୟା ନାୟିକା ଭାବରେ
ଛନ୍ଦିହୋଇ ମନକୁ ହଜାଇ ଦିଏ
ନୀଳ ଅଂଧାରରୁ ରଂଗ ଆଣି
ଦିହକୁ ଚିତ୍ରିତ କରେ, ଗଭାରେ
ଗଜରା, ପାଦରେ ପାଉଁଜି ପିନ୍ଧି
ସନ୍ତର୍ପଣରେ ଉଠି ଠିଆ ହୁଏ।
ଏରୁଣ୍ଡି ବନ୍ଧ ଡେଇଁଯିବା ପରେ
ବଂଶୀ ସ୍ବନକୁ ଅବଧାବନ କରି
ଧାଉଁଥାଏ ପବନରେ ସମ୍ପୂର୍ଣ୍ଣ
ମିଳେଇଯିବା ପର୍ଯ୍ୟନ୍ତ।
ଶେଯରେ ଚନ୍ଦ୍ରଶେଣା ପରି
ପଡିଥାଏ ଚେତନା ହରାଇ
ମୋ ତନ୍ଦ୍ରାଚ୍ଛନ୍ନ ଜଡଦେହ।
ନଈପଠାରୁ ଆକଣ୍ଠ 'ରାସ ମଧୁ'
ପିଇ ତରବରରେ ଫେରିଆସେ
ବିଦେହୀ କେଳିକ୍ଳାନ୍ତ ଛାଇ।
କାଳେ ମୁଁ ନିଦରୁ ଉଠିବସିବି
ଛନକା ଭାବ ରଖିଥାଏ।
ଜଡଦେହକୁ ଛୁଇଁ ଜୀବନ୍ୟାସ
ଦିଏ, ସମାହିତ ହୋଇଯାଏ
ମୋ ଦେହରେ କେହି କିଛି
ନ ଜାଣିଲା ଭଳି।
ସରିଆସେ ନିର୍ବାଣର ପଥଖୋଜା
ସମାଧିସ୍ଥ ଜଡତାରେ ସଞ୍ଚରିତ
ହୁଏ ଦିବ୍ୟ ଚେତନାର ଜ୍ୟାତି
ମୁଁ ଆଖି ଖୋଲି ଦେଖେ
ନୂଆ ଚେତନାର ରଂଗମାଖି
ପୂର୍ବାଶାରେ ସିନ୍ଦୁରା ଫାଟୁଥାଏ।
ବାସ୍ତବତା ସହ ଲଢି ଲହୂଲୁହାଣ
ହେବାକୁ ପୁଣି ଥରେ ଉଠିବସେ।
ରାତି କଥା କିଛି ମନେ ନ ଥାଏ।
*******