ତୁମେ ଛାଡ଼ିଗଲା ପରେ
ତୁମେ ଛାଡ଼ିଗଲା ପରେ
ଫୁଟୁନାହିଁ ଫୁଲ ଯେବେ ଛାଡ଼ିଗଲ
ମନ କଦମ୍ବରେ ମୋର
ଲିଭିଗଲା ହସ ପିଆଇଲ ବିଷ
ଛାଡ଼ିଗଲ କରି ପର ll
ମିଛ ପ୍ରେମ ପାଲା କରିବାର ଥିଲା
କାହିଁ ପାଉଥିଲ ଭଲ
ଜୀଇଁଚି କିପରି ଏଇ ଦେହ ଧରି
କଲ ଯେଉଁ କଲବଲ ll
ଅଛି ସେ ଶ୍ରାବଣ ଦେଇଥିଲ ରାଣ
ବରଷାରେ ଭିଜିଭିଜି
ନୟନୁ ଶ୍ରାବଣ ଝରେ ନିଶିଦିନ
ଅହରହ ଭିଜେ ଆଜି ll
ଫଗୁଣେ ଅବିର ବୋଳିଚ ଶରୀର
ମୁଁ ବୋଳିଚି ଦେହେ ତୋର
ଆସିଚି ବସନ୍ତ ଛାଡ଼ିଦେଲୁ ହାତ
ସ୍ମୃତି ସାଇତିଚି ତୋର ll
ଏ ଗରିବ ହାତ କଲ ପ୍ରତ୍ୟାଖାତ
ଦେଇଗଲ ପ୍ରତାରଣା
ଥିଲା ତେବେ ମନେ ଛାଡ଼ିଯିବ ଦିନେ
କାଟିଦେଇ ମୋର ଡେଣା ll
ପାରୁନାହିଁ ଉଡ଼ି ଭୂମି ପରେ ପଡ଼ି
ହୁଏ ଖାଲି ଛଟପଟ
ମନେ ଥିଲା ଘୃଣା ନଥିଲା ତ ଜଣା
କେତେ ନିନ୍ଦା କେତେ କଷ୍ଟ ll
ଭଲ ଖେଳିଦେଲ ଖେଳି ଭୁଲିଗଲ
ସାଜିଲ ସଚ୍ଚା ଖେଳାଳି
ଥିଲି ଯେଉଁପରି ଅଛି ବି ସେପରି
ଖାଲି ତୁମ ସ୍ମୃତି ଧରି ll
ଲେଖୁଛି ପତର ଝରାଇ ରୁଧିର
ପୁଣି ଚିରୁଅଛି ଚିଠି
ତଥାପି ଲେଖୁଚି କିଛି ବାକି ଅଛି
କରି ପାରୁନାହିଁ ଇତି ll
ଭାବୁଛି ମନରେ ଛାଡ଼ିଗଲ ଦୂରେ
କି' ଲାଭ ଲେଖି ଏ ଚିଠି
ରହିଥା ଭଲରେ ମନ ଆନନ୍ଦରେ
ଦେଲି ଆଶୀର୍ବାଦ ଭେଟି ll
ସାତ ଜନମର ସାଥୀ ହେବ ମୋର
କହିଥିଲ ମଥା ଛୁଇଁ
କଥା ଦେଇ କଥା ଭୁଲିଲ ବାରତା
ମୁଁ କିନ୍ତୁ ଭୁଲିବି ନାହିଁ ll
ଯାହା ତୁମ ସ୍ମୃତି ରଖିଚି ସାଇତି
ବଞ୍ଚିଯିବି କିଛିଦିନ
ମନ ବେସାହାରା ସ୍ମୃତି ହିଁ ସାହାରା
ପ୍ରେମ ତୃଷ୍ଣା ଅମଳିନ ll
ଯୁଆଡ଼େ ଯାଉଚି ସିଆଡ଼େ ଦେଖୁଚି
ତୁମ ରୂପ ମରୀଚିକା
ସାହାରା ମରୁରେ ଖାଲି ଖୋଜିବୁଲେ
ହୋଇଯିବ ଅବା ଦେଖା ll

