STORYMIRROR

Pragyan Paramita

Romance

3  

Pragyan Paramita

Romance

ତୁମେ ଛାଡ଼ିଗଲା ପରେ

ତୁମେ ଛାଡ଼ିଗଲା ପରେ

1 min
154

ଫୁଟୁନାହିଁ ଫୁଲ  ଯେବେ ଛାଡ଼ିଗଲ 

   ମନ କଦମ୍ବରେ ମୋର 

ଲିଭିଗଲା ହସ  ପିଆଇଲ ବିଷ 

   ଛାଡ଼ିଗଲ କରି ପର ll


ମିଛ ପ୍ରେମ ପାଲା  କରିବାର ଥିଲା 

   କାହିଁ ପାଉଥିଲ ଭଲ 

ଜୀଇଁଚି କିପରି  ଏଇ ଦେହ ଧରି 

   କଲ ଯେଉଁ କଲବଲ ll


ଅଛି ସେ ଶ୍ରାବଣ  ଦେଇଥିଲ ରାଣ 

   ବରଷାରେ ଭିଜିଭିଜି 

ନୟନୁ ଶ୍ରାବଣ  ଝରେ ନିଶିଦିନ 

   ଅହରହ ଭିଜେ ଆଜି ll


ଫଗୁଣେ ଅବିର  ବୋଳିଚ ଶରୀର 

   ମୁଁ ବୋଳିଚି ଦେହେ ତୋର 

ଆସିଚି ବସନ୍ତ   ଛାଡ଼ିଦେଲୁ ହାତ

   ସ୍ମୃତି ସାଇତିଚି ତୋର ll


ଏ ଗରିବ ହାତ   କଲ ପ୍ରତ୍ୟାଖାତ 

   ଦେଇଗଲ ପ୍ରତାରଣା 

ଥିଲା ତେବେ ମନେ  ଛାଡ଼ିଯିବ ଦିନେ 

   କାଟିଦେଇ ମୋର ଡେଣା ll


ପାରୁନାହିଁ ଉଡ଼ି   ଭୂମି ପରେ ପଡ଼ି 

   ହୁଏ ଖାଲି ଛଟପଟ 

ମନେ ଥିଲା ଘୃଣା  ନଥିଲା ତ ଜଣା 

   କେତେ ନିନ୍ଦା କେତେ କଷ୍ଟ ll


ଭଲ ଖେଳିଦେଲ   ଖେଳି ଭୁଲିଗଲ 

   ସାଜିଲ ସଚ୍ଚା ଖେଳାଳି 

ଥିଲି ଯେଉଁପରି   ଅଛି ବି ସେପରି 

   ଖାଲି ତୁମ ସ୍ମୃତି ଧରି ll


ଲେଖୁଛି ପତର   ଝରାଇ ରୁଧିର 

   ପୁଣି ଚିରୁଅଛି ଚିଠି 

ତଥାପି ଲେଖୁଚି  କିଛି ବାକି ଅଛି 

   କରି ପାରୁନାହିଁ ଇତି ll


ଭାବୁଛି ମନରେ   ଛାଡ଼ିଗଲ ଦୂରେ 

   କି' ଲାଭ ଲେଖି ଏ ଚିଠି 

ରହିଥା ଭଲରେ  ମନ ଆନନ୍ଦରେ 

   ଦେଲି ଆଶୀର୍ବାଦ ଭେଟି ll


ସାତ ଜନମର   ସାଥୀ ହେବ ମୋର 

   କହିଥିଲ ମଥା ଛୁଇଁ 

କଥା ଦେଇ କଥା  ଭୁଲିଲ ବାରତା 

   ମୁଁ କିନ୍ତୁ ଭୁଲିବି ନାହିଁ ll


ଯାହା ତୁମ ସ୍ମୃତି   ରଖିଚି ସାଇତି 

   ବଞ୍ଚିଯିବି କିଛିଦିନ

ମନ ବେସାହାରା  ସ୍ମୃତି ହିଁ ସାହାରା 

   ପ୍ରେମ ତୃଷ୍ଣା ଅମଳିନ ll


ଯୁଆଡ଼େ ଯାଉଚି   ସିଆଡ଼େ ଦେଖୁଚି 

   ତୁମ ରୂପ ମରୀଚିକା 

ସାହାରା ମରୁରେ  ଖାଲି ଖୋଜିବୁଲେ

    ହୋଇଯିବ ଅବା ଦେଖା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance