STORYMIRROR

Pragyan Paramita

Others

3  

Pragyan Paramita

Others

କାଳିଆକୁ ଗାଳି

କାଳିଆକୁ ଗାଳି

2 mins
222


କାଳିଆ ତୁ ଭାରି କପଟିଆ

କାହିଁକି କରୁଛୁ ଏ ଲୀଳା

ଭକତ ତୋହର ଆତୁର ହେଲେଣି

ବୁଡ଼ିଲାଣି ସଭିଙ୍କର ଭେଳା   l


ଆହେ ନୀଳାଚଳିଆ

ତୋ ମାୟା ପରା ତୋତେ ଅଗୋଚର

ଦୁନିଆ ବୁଝିବ କାହୁଁ

ସାଆନ୍ତେ ସାଆନ୍ତେ ଭକ୍ତ ଡାକୁଛନ୍ତି

ଶୁଣୁନାହୁଁ ଶୋଇରହୁ      l


ଆହେ ଲୀଳାମୟ, ଦୀନବନ୍ଧୁ ଦୈତାରୀ

ପାଷାଣ ଆଉ କେତେ ଯେ ସାଜିବୁ

ବେଳ ଥାଉ ଥାଉ ଉଠିପଡ ଦୁଃଖହାରୀ  l


ବ୍ୟାଧିର ଭୟରେ ଜଗତ କମ୍ପୁଛି

ଭକତ ମନରୁ ବିଶ୍ୱାସ ତୁଟୁଛି

ଭାବବିନୋଦିଆ ତୁ

ଏସବୁ କେମିତି ସହୁଛୁ    l


ଆହେ ଲଷ୍ମୀପତି, ନିରବ ନରହି

ଶୁଣୁ ଭକ୍ତଙ୍କ ଆକୁଳ ଵିନତୀ

କରିଦେ ଏ କରୋନା ବ୍ୟାଧିରୁ ମୁକତି

ତୋ ବିନା ନାହିଁ ପରା ଆଉ ଅନ୍ୟ ଗତି  l


ଆହେ ଜନାର୍ଦ୍ଦନ, ଅନ୍ତର୍ଯ୍ୟାମୀ ନାରାୟଣ

କାହିଁକି ହଉଛୁ ତୁ ଏମିତି ପାଷାଣ

ତୁ ପରା ହରୁ ଭକତ କଷଣ

ସେଥିପାଇଁ ପରା ନେଇଥିଲୁ ବେଶ ବ୍ରାହ୍ମଣ  l


ଆହେ ଭାବଗ୍ରାହୀ, ଚକାନୟନ

ନିରବେ ଶୁଣୁଛୁ ଆର୍ତ୍ତଚିତ୍କାର

ଅଦିନର ଘଡଘଡି

ଶୁଭୁନାହିଁ କାହିଁ ତୋତେ

ଦୁର୍ଦ୍ଦିନର ଘୋର ରଡି    l


ଭାବରେ ଡାକିଲା ଦାସିଆ ତୋତେରେ

ନାରିକେଳ ନେଇଗଲୁ

ଭକ୍ତ ବଳରାମ ପାଇଁ ବାଲି ରଥେ ଚଢିଗଲୁ

ଦୁନିଆଟା ଆଜି ଲୁହରେ ଭିଜୁଛି

ସଭିଙ୍କୁ ପାସୋରି ଦେଲୁ    l


ଆହେ ବନମାଳୀ, ମୋ' ଶଙ୍ଖାଳି ଦାରୁବ୍ରହ୍ମମୁରାରୀ

କଳାଶ୍ରୀମୁଖ ତୋ ଶୁଖିଗଲାଣି

ନାଲି ଅଧର ଫିକା ଦିଶିଲାଣି

ଭକତ ବିହୁନେ ଏମିତି ଘଟୁଛି

ସବୁ ତୁ ପାରୁଛୁ ଜାଣି    l


ଆହେ ଜଗନ୍ନାଥ, ଜଗତର ନାଥ ମାୟାଧର

କି ଗୁହାରି କରିବି ତୋତେରେ କାଳିଆ

ତୁ ପରା ଅନାଦି ତୁ ପୁଣି ଅନନ୍ତ

ପତିତ ଉଦ୍ଧାର ପାଇଁ ପରା ତୋହରି ଜାତ

ଭକ୍ତର ଟୋପାଏ ଲୁହରେ କୁଆଡେ

ହୁଏ ତୋତେ ପୁଣି ଜ୍ୱର

ପୁଣି କେମିତି କରୁଛୁରେ ଏତେ ଅବିଚାର      l


ରତନ ବେଦୀରୁ ଆସିରେ ବାହାରି

କରୁଛୁ ତୁ ଜଳକ୍ରୀଡା

ପଇଁତିରିଶି ଗରା ଜଳ ତୋ ପାଇଁ ଲୋଡ଼ା

ଜାଣିପାରିନୁକି ଭକ୍ତ ବୃନ୍ଦ ତୋର

ଲୁହ ଲହୁରେ ହେଲେଣି ପରା ଗଡ଼ାପଡା    l


ଆହେ ଚକ୍ରପାଣି, ନୀଳାଦ୍ରି ବିହାରୀ

ସ୍ନାନ ପୁର୍ଣିମାରେ ସାରି ସ୍ନାନ

କାହାଲାଗି ଆଜି ଏ ବେଶ ଗଜାନନ

ପ୍ରଭୁ ଭକତଙ୍କୁ ତ ନାହିଁ ତୋର ଦରଶନ 

ଶୁଣୁ ଥରେ ପ୍ରଭୁ ଭକତଙ୍କ ମନ

ହେ କାଳୀୟଗଞ୍ଜନ

ପକା ଥରେ ତୋ କୃପାନୟନ     l


ଲକ୍ଷେ ଜଳଧିର ଜଳରେ

ତିନ୍ତେ ନାହିଁ ପରା ତୋର କଳେବର

ଭକ୍ତର ଲୁହରେ ନିତି ତୁ ସ୍ନାନ ସାରୁଛୁ

ଏଗୁଡା କ'ଣ ତୋତେ ଅଗୋଚର,

ଧନ୍ୟ ତୁ ଭାବର ଠାକୁର କରୁଣାବତାର

କରିଦେ ଜଗତ ଉଦ୍ଧାର

ମୃତ୍ୟୁର ତାଣ୍ଡବ ଖେଳୁଛି ଧରାରେ

ହରିନେ କଷ୍ଟ ସଭିଙ୍କର            l


ଆହେ ମହାବାହୁ ଆର୍ତ୍ତତ୍ରାଣ

କରୋନା ବ୍ୟାଧିରୁ ବିଶ୍ୱକୁ ବଞ୍ଚାଇ

ହେଉ ତୋର ବଡ଼ ପଣ          l


ପ୍ରଭୁ ହେ ଶ୍ରଦ୍ଧାରେ ଡାକିଲି ଶୁଣିଲୁନି ବୋଲି

ଅଭିମାନେ ଆଜି ଦେଇଦେଲି ତୋତେ ଗାଳି

ଗାଳି ପରା ଅଟେ ତୋର ଭାରି ପ୍ରିୟ

ତୋ ଦୟାରେ ଚାଲିଛି ମୋର ଛୋଟିଆ ସଂସାର

ତୋ ଚରଣେ ଶରଣ ମୋର ପରିବାର      

ହେ କଳାମାଣିକ, କାଳିଆ ସାଆନ୍ତ

ମୋ କଳାଠାକୁର

ତୋ କରୁଣାରୁ କେବେ ବଞ୍ଚିତ କରିବୁନି ମୋତେ

ଏତିକି ମାଗୁଣି ମୋର ପ୍ରଭୁ

ଏତିକି ମାଗୁଣି ମୋର       l

                  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍