ଚାନ୍ଦ ନା' ତୁମେ ତାରା ?
ଚାନ୍ଦ ନା' ତୁମେ ତାରା ?
ଚାନ୍ଦ ନା' ତୁମେ ତାରା
ମୋତି ନା ତୁମେ ହୀରା
କୃଷ୍ଣ ପଚାରନ୍ତି ରାଧିକାଙ୍କୁ
ରାଧା ଦିଅନ୍ତି ଉତ୍ତର ତାର
ଚାନ୍ଦ ତାରା ନୁହେଁ
ମୋତି ହୀରା ନୁହେଁ
ମୁଁ ପରା ରାଇ ତୁମର ।
ଦେଖୁଛି ମୁଁ ଆଜି ନିକୁଞ୍ଜ କାନନେ
ଖସିଛି ପୁନେଇଁ ଚାନ୍ଦ
ବାରି ହେଉନାହିଁ ଚାନ୍ଦ କିବା ତାରା
ମନରେ ଉପୁଜେ ଦ୍ବନ୍ଦ
ପୁୁଚ୍ଛନ୍ତି କିଶୋର ଚନ୍ଦ୍ର
ମୋତି ହୀରାଠାରୁ ଦିଶୁଛି ଉଜ୍ଜ୍ବଳ
ବୁଦ୍ଧି ମୋ ହେଲା କି ମନ୍ଦ ।
କହନ୍ତି କିଶୋରୀ ଆହେ ଚିତ୍ତ ଚୋର
ଶ୍ରୀମୁଖ ଚନ୍ଦ୍ର ତୁମର
ଦର୍ଶନ ଲାଳସୀ ସର୍ବ ଗୋପବାସୀ
ତାରା କି ମୁଖ ତୁମର
ମୋତି ହୀରା ବି ନିଊନ
ପଡୁଛି ତୁମର ଶ୍ରୀମୁଖ ଚନ୍ଦ୍ରମା
କଲି ଯେବେ ଦରଶନ ।
କହନ୍ତି କିଶୋର ଚନ୍ଦ୍ରରେ କଳଙ୍କ
ରହିଛି ସଭିଙ୍କୁ ଜଣା
ଅମାବାସ୍ୟାରେ ସେ ନ ଦିଅଇ ଦେଖା
ବୁଦ୍ଧି ମୋ ନହୁଏ ବଣା
ଶୁଣ ଆଗୋ ଶଶୀମୁଖୀ
ଅମା ଅନ୍ଧକାରେ ତୁମ ଶଶୀମୁଖ
ଦେଖି ମୁଁ ହୁଅଇ ସୁଖୀ ।
ତାରା ତ ଚାନ୍ଦଠୁ ଅଧିକ ଉଜ୍ଜ୍ବଳ
ରହିଛି ବହୁ ଦୂରରେ
ନିକୁଞ୍ଜରେ ମୋର ପାଶେ ଅଛ ତୁମେ
ଦେଖୁଛି ଯାହା ନେତ୍ରରେ
ମୋତି ହୀରାଠୁ ଉଜ୍ଜ୍ବଳ
ଦିଶୁଅଛ ତୁମେ ଆଗୋ ଚନ୍ଦ୍ରମୁଖୀ
ଦେଖୁଛି ମୁଁ ଜଳଜଳ ।
ଚାନ୍ଦ ତାରା ମୋତି ହୀରା କଥା କହି
ନକର ବଡାଇ ମୋର
ଭାବର କିଶୋର ଚନ୍ଦ୍ର ତୁମେ ମୋର
ମୁଁ ତୁମର ପରିଚାର
ଭାବ ବିନୋଦିଆ ମୋର
ବିନତି କରୁଛି ବାରମ୍ବାର ଦାସୀ
ଶ୍ରୀପୟରରେ ତୁମର ।
କିଶୋର ତନ୍ଦ୍ର କିଶୋରୀ ଚନ୍ଦ୍ରମୁଖୀ
ସଭିଏଁ ଜାଣନ୍ତି ଏହା
ଚାନ୍ଦ ତାରା ମୋତି ହୀରାଠୁ ଅଧିକ
ବିଚିତ୍ର ତାଙ୍କ ଦୁନିଆ
ଉଭୟେ ପ୍ରେମ ମୂରତି
ଅବ୍ୟକତ ଲୀଳା ମାଧୁରୀ ତାଙ୍କର
ବ୍ୟକତ ତା କରିଥାନ୍ତି ।