ଚାଲ ଯିବା ପାଣି ନେଇ ଆରଡ଼ି ଧାମ
ଚାଲ ଯିବା ପାଣି ନେଇ ଆରଡ଼ି ଧାମ
ପବିତ୍ର ଆରଡ଼ି ଗ୍ରାମ ମଣି ବାବା ଧାମ
ଚାଲ ଯିବା ଜଳ ନେଇ ଜପି ବାବା ନାମ।
ଧାରା ଶ୍ରାବଣ ମାସର ସୋମବାର ଦିନ
ବାବାଙ୍କ ମଥାରେ ଜଳ କରିବା ଅର୍ପଣ।
ବାବା ଆଖଣ୍ଡଳମଣୀ ମହିମା ଅଶେଷ
ପାପ ତାପ ଧୋଇ ଦିଏ ତାଙ୍କରି ଆଶିଷ।
ପ୍ରାଣ ହୁଏ ଧନ୍ୟ ତାଙ୍କ ପାଦୁକ ପାଇ
ବୋଲ୍ ବମ୍ ବୋଲ୍ ବମ୍ ଯିବା ଗାଇ ଗାଇ
ବାବା କଲେ ଦୟା ଯାଏ ବିପଦ ଉଭେଇ।
ସୁବର୍ଣ୍ଣରେଖା ଅବା ସାଳନ୍ଦୀ ର ପାଣି
ବାଲେଶ୍ବର ଭଦ୍ରକ ରୁ ଭକ୍ତେ ଥାନ୍ତି ଆଣି।
ରବିବାର ଦିନ ପୂଜା ଅରଚନା କରି
ଆଣନ୍ତି ସେ କଳସୀ ରେ ପୂଣ୍ୟ ଜଳ ଭରି ।
ରାତିସାରା ବ୍ରତୀ ମାନେ ବାଟ ଚାଲିଥାନ୍ତି
ସୋମବାର ପ୍ରଭାତ ରେ ପୀଠେ ପହଞ୍ଚନ୍ତି।
ବାବାଙ୍କ ମଥାରେ ଜଳ ଢାଳନ୍ତି ନେଇ
ବୋଲ୍ ବମ୍ ବୋଲ୍ ବମ୍ ଯିବା ଗାଇ ଗାଇ
ବାବା କଲେ ଦୟା ଯାଏ ବିପଦ ଉଭେଇ।
ଭୁବନେଶ୍ୱର ବା ହେଉ କଟକରୁ ସେତ
ଦିଦିନ ଆଗରୁ ବାହାରନ୍ତି ଯେ ଭକତ।
ମହାନଦୀ କାଠଯୋଡି ଅବା କୁଆଖାଇ
ଶୁକ୍ରବାର ଦିନ ନଦୀ ତଟ ଉଛୁଳଇ ।
ଗେରୁଆ ବସନ ପିନ୍ଧି ସ୍ନାହାନ କରନ୍ତି
କଳସୀ ରେ ପାଣି ଆଣି ପୂଜା କରିଥାନ୍ତି।
ପୂଜା ପରେ ବାହାରନ୍ତି ବାବାଙ୍କୁ ଧ୍ଯାଇ
ବୋଲ୍ ବମ୍ ବୋଲ୍ ବମ୍ ଯିବା ଗାଇ ଗାଇ
ବାବା କଲେ ଦୟା ଯାଏ ବିପଦ ଉଭେଇ।
ଦକ୍ଷିଣ ରୁ ଭକ୍ତ ମାନେ ରାଜପଥ ଦେଇ
ଦିନରାତି ଚାଲିଥାନ୍ତି ଦଳଦଳ ହୋଇ।
ଧୂପଦୀପ ମହକଇ ବାଟ ଘାଟ ସାରା
ଶିବଙ୍କର ଜୟଗାନେ ଉଛୁଳଇ ଧରା।
ପୁଅଙ୍କ ପରିତ ଝିଅ ଜଳ ଭାର ନେଇ
ବାବାଙ୍କ ମଥାରେ ଜଳ ଢାଳିଥାନ୍ତି ଯାଇ।
ଝରି ଯାଉଥାଏ ସତେ ଭାବର ନଈ
ବୋଲ୍ ବମ୍ ବୋଲ୍ ବମ୍ ଯିବା ଗାଇ ଗାଇ
ବାବା କଲେ ଦୟା ଯାଏ ବିପଦ ଉଭେଇ।
ଢେଙ୍କାନାଳ କେନ୍ଦୁଝର ଯାଜପୁର ଭକ୍ତ
ବୈତରଣୀ ନଦୀଜଳ ଆଣିଥାନ୍ତି ସେତ।
ବାରିପଦା ଅଞ୍ଚଳରୁ ବ୍ରତୀ ବି ଆସନ୍ତି
ବାବାଙ୍କ ପାଖରେ ଜଳ ଅର୍ପଣ କରନ୍ତି।
ରାତି ପାହିବା ଆଗରୁ ସୋମବାର ଦିନ
କାଉଡ଼ିଆ ଙ୍କ ଗହଳୀ ଆରଡ଼ି ରେ ଜାଣ।
ଦୂରରୁ ଦୂରକୁ ଭକ୍ତ ଧଡି ଲମ୍ବଇ
ବୋଲ୍ ବମ୍ ବୋଲ୍ ବମ୍ ଯିବା ଗାଇ ଗାଇ
ବାବା କଲେ ଦୟା ଯାଏ ବିପଦ ଉଭେଇ।
ବାଟ ସାରା ଦାତା ମାନେ ଶିବିର ଖୋଲନ୍ତି
କାଉଡି ରଖିବା ପାଇଁ ଯାଗା କରିଥାନ୍ତି।
ବ୍ରତଧାରୀ ମାନେ ଯତ୍ନେ ଭାରକୁ ରଖନ୍ତି
କିଛି ସମୟ ପାଇଁକି ବିଶ୍ରାମ ନିଅନ୍ତି।
ପ୍ରସାଦ ସେବନ ପାଇଁ ବ୍ୟବସ୍ଥା ଥାଏଟି
ଖାଇସାରି ବ୍ରତୀ ମାନେ ସ୍ନାନ ବି କରନ୍ତି।
ଚାଲନ୍ତି ସେ ପୁଣି ଜଳ ଭାର କାନ୍ଧେଇ
ବୋଲ୍ ବମ୍ ବୋଲ୍ ବମ୍ ଯିବା ଗାଇ ଗାଇ
ବାବା କଲେ ଦୟା ଯାଏ ବିପଦ ଉଭେଇ।
ବାବା ଆଖଣ୍ଡଳମଣୀ ମହିମା ଅସୀମ
ଶାସ୍ତ୍ର ପୁରାଣ ଘୋଷେ ବାବାଙ୍କର ନାମ ।
ଦ୍ବାପର ଯୁଗରେ ବାବା ଆଖଣ୍ଡଳେଶ୍ବର
ଭୂଗର୍ଭ ରେ ପୋତି ହୋଇ ଥିଲେ ଯେ ଠାକୁର।
ଲଙ୍ଗଳ ମୁନ ବାଜିଣ ବାବା ଦେଖାଦେଲେ
ଆଖଣ୍ଡଳମଣି ଭାବେ ପୂଜା ସେ ପାଇଲେ ।
ଭକତ ବତ୍ସଳ ବାବା ଜଗତ ସାଇଁ
ବୋଲ୍ ବମ୍ ବୋଲ୍ ବମ୍ ଯିବା ଗାଇ ଗାଇ
ବାବା କଲେ ଦୟା ଯାଏ ବିପଦ ଉଭେଇ।
ଆରଡ଼ି ରେ ଗାରେଡ଼ି ଯେ କରେ ନାହିଁ କାମ
ଗୁଣିଆ ଡରନ୍ତି ଶୁଣି ବାବାଙ୍କର ନାମ।
ମଣି ଙ୍କ ଆଶିଷେ ଫଣି ବିଷ ନାସ ଯାଏ
ସର୍ପାଘାତ ରୋଗୀ ଏଠି ନୂଆ ଜନ୍ମ ପାଏ।
ବାବାଙ୍କ ପାଦୁକ ପାଣି ମହୋଷଧି ସମ
ଦୂରାରୋଗ୍ୟ ବ୍ୟାଧି ସବୁ କରେ ଉପସମ।
ଭକତ ପାଗଳ ସେହି ପାଦୁକ ପାଇଁ
ବୋଲ୍ ବମ୍ ବୋଲ୍ ବମ୍ ଯିବା ଗାଇ ଗାଇ
ବାବା କଲେ ଦୟା ଯାଏ ବିପଦ ଉଭେଇ।
ମନବାଞ୍ଛା ବାବା ଯେଣୁ ପୂରଣ କରନ୍ତି
ଭକତେ ଶ୍ରାବଣୀ ବ୍ରତ ନିଷ୍ଠା ରେ ପାଳନ୍ତି।
ଶ୍ରାବଣ ମାସ ର ପ୍ରତି ସୋମବାର ଦିନ
ଆରଡ଼ି ଗ୍ରାମେ ଉଛୁଳେ ଭଜନ କୀର୍ତ୍ତନ।
ହଜାର ହଜାର ବ୍ରତୀ କାଉଡ଼ିଆ ଭକ୍ତ
ବାବାଙ୍କର କରିଥାନ୍ତି ଜଳ ଅଭିଷେକ।
ବାବାଙ୍କ କରୁଣା କଣା ପାଇବା ପାଇଁ
ବୋଲ୍ ବମ୍ ବୋଲ୍ ବମ୍ ଯିବା ଗାଇ ଗାଇ
ବାବା କଲେ ଦୟା ଯାଏ ବିପଦ ଉଭେଇ।
ଜୟଜୟ ଜୟ ବାବା ଆଖଣ୍ଡଳମଣୀ
ଶରଣ ମାଗୁଛୁ ଢାଳି ମଥାରେ ତ ପାଣି।
ତୁମେ ଦୟା କଲେ ହୁଏ ମନବାଞ୍ଛା ପୂର୍ଣ୍ଣ
ତୁମେ ଦୟା କଲେ ହୁଏ ଏ ଜୀବନ ଧନ୍ୟ।
ବାବା ହେ ପାଦରେ ତୁମ ଏତିକି ମିନତି
ପାପ ତାପ ଦୂର କରି ଦିଅ ଟିକେ ଶାନ୍ତି।
ଜୀବନ ଜଞ୍ଜାଳ ସବୁ ଯାଉ ଦୂରେଇ
ବୋଲ୍ ବମ୍ ବୋଲ୍ ବମ୍ ଯିବା ଗାଇ ଗାଇ
ବାବା କଲେ ଦୟା ଯାଏ ବିପଦ ଉଭେଇ।
