ଚାଲ ସଂଗ୍ରାମର ପଥେ
ଚାଲ ସଂଗ୍ରାମର ପଥେ


ଏ ଜୀବନ ବନ୍ଧୁ କଣ୍ଟକରେ ଭରା
ସହଜ ନୁହଁଇ ଏତେ
ରଙ୍ଗୀନ ସ୍ୱପ୍ନରେ ବୁଡି ଏ ମଣିଷ
ସହଜ ଭାବଇ ଯେତେ ll
ପଦେ ପଦେ ଏଠି ଶଙ୍କା ଓ ଆଶଙ୍କା
ଜୀବନ ମରଣ ଖେଳ
ନୀତି ଅନୀତି ର ଅନ୍ଧ ଗଳିରେ
ଅତିକ୍ରାନ୍ତ ହୁଏ ବେଳ ll
ଏ ଦୁନିଆ ବନ୍ଧୁ ନୁହଁଇ କାହାର
ଅଟଇ ସଂଘର୍ଷମୟ
ଜୀବନ ଦୌଡରେ କିଏ ଜିତେ ଏଠି
କିଏ ଲଭେ ପରାଜୟ ll
ଅଜ୍ଞାନ ଅନ୍ଧାରେ କାମନାର ତୃଷ୍ଣା
କରେ ଏଠି ବାଟବଣା
ସଇତାନ ଧରେ ବିଶ୍ଵାସୀର ବେଶ
ସହଜେ ପଡ଼େନି ଜଣା ll
ସ୍ୱାର୍ଥର ସଂସାରେ ଏ ମଣିଷ ପୁଣି
ମଣିଷକୁ ଦିଏ ଧୋକା
କିଏ ଏଠି ପର କିଏ ଆପଣାର
କିଏ ବନ୍ଧୁ କିଏ ସଖା? ll
ଜୀବନଟା ଏଠି ନିଜ ସ୍ଵାର୍ଥେ ବ୍ୟସ୍ତ
ଅନ୍ୟ ପାଇଁ ବେଳ କାହିଁ
ବେଦ ବୁଝୁଥିବା ମଣିଷ ଯେଉଁଠି
ବେଦନା ବୁଝଇ ନାହିଁ ll
ପେଟ ପାଇଁ ମୁଠେ ଦାନା ଯୋଗାଡ଼ରେ
ବେଳ ଏଠି ଯାଏ ସରି
ଆଶା ରହିଯାଏ ଆଶାରେ ଆଶାରେ
ସ୍ୱପ୍ନ ସବୁ ଯାଏ ମରି ll
ଭରସା ନୀଡ଼କୁ ସଇତାନି ଝଡ଼
ଭାଙ୍ଗି କରିଦିଏ ଚୁନା
ପ୍ରତିବଦଳରେ ମିଳେ ଏଠି ଖାଲି
ଛଳନାର ଆଶ୍ୱାସନା ll
ଏ ଦୁନିଆ ଦାଣ୍ଡେ ନିତି ଚାଲେ ଏଠି
ଧର୍ମ ଅଧର୍ମର ଖେଳ
ସମୟ ସାଥିରେ ଲଢ଼ି ଲଢ଼ି ଏଠି
କ୍ଷୀଣ ହେଇଯାଏ ବଳ ll
ଡ଼ରୁଅଛ କିଆଁ ଚାଲୁଅଛି ଦେଖ
ତୁମ ଛାଇ ତୁମ ସାଥେ
ନଭାବି ନିଃସଂଗ ତାକୁ କରି ସାଙ୍ଗ
ଚାଲ ସଂଗ୍ରାମର ପଥେ ll