ଚାଲ ଆମେ ବଦଳି ଦେଖିବା
ଚାଲ ଆମେ ବଦଳି ଦେଖିବା
ଏମିତି ହୁଅନ୍ତାନି,
ମୁଁ ବଦଳିଯାନ୍ତି ତୁ କୁ,
ଆଉ ତୁ ବଦଳିଯାନ୍ତୁ ମୁଁ କୁ....
ତୁ ହୁଅନ୍ତୁ ପ୍ରେମର ଚୋରାବାଲି,
ଆଉ ମତେ ଡୁବେଇ ଦିଅନ୍ତୁ,
ତୋ ପ୍ରେମର ଭଉଁରୀରେ ଖାଲି,
ଆଉ, ମୁଁ ସାଜନ୍ତି ତୋ ପ୍ରେମର ମରୀଚିକା,
ଆଉ ଭଲପାଆନ୍ତି ତତେ ମିଛିମିଛିକା....
ତାପରେ ହୁଏତ, ତୁ ବୁଝିପାରନ୍ତୁ,
ପ୍ରତିମୁହୂର୍ତର ନିଃସଙ୍ଗତାର ବ୍ୟଥାକୁ,
ମଧ୍ୟରାତ୍ରିର ନିଦ୍ରାଭଙ୍ଗର ଗହନ କଥାକୁ,
ଅପେକ୍ଷା କରିବାର ଯନ୍ତ୍ରଣା ଜ୍ୱାଳାକୁ,
ଆଉ, ଭଲପାଇବାର ଗଭୀର ମର୍ମକୁ....
କିନ୍ତୁ ଏମିତି ବଦଳି ପାରିବାଟା,
କଣ ପ୍ରକୃତରେ ସମ୍ଭବ?
ନା' ସମ୍ଭବ ତ ନୁହେଁ....
ଆଉ ଯଦି ସମ୍ଭବ ହୋଇ ପାରନ୍ତା,
ତାହାଲେ, ତୁ ପ୍ରକୃତରେ ଅନୁଭବ କରିପାରନ୍ତୁ,
ଶୀତଳ ଜ୍ୟୋସ୍ନାରେ ରୌଦ୍ରର ତାପକୁ,
ଆଉ ତତେ ଦୃଶ୍ୟମାନ ହୋଇଉଠନ୍ତା,
ସ୍ଥିର ଜଳରେ ନିଜର ତରଙ୍ଗାଇତ ପ୍ରତିବିମ୍ବ ।
ଆଉ ତାପରେ,
ନିଜ ପ୍ରେମକୁ ପାଇବାପାଇଁ କରିବସନ୍ତୁ ସତଚେଷ୍ଟା,
କେବେ ପ୍ରେମ ଆଗରେ ନିଜକୁ କରେଇ ଦିଅନ୍ତୁ ଅଭିମାନିନୀ,
ତ କେବେ ସଜେଇ ଦିଅନ୍ତୁ ନିଜକୁ ଅଲିଅଳି...
ଆଉ ତାପରେ ପ୍ରେମର ପୁଜାରିଣୀ ସାଜି,
ବ୍ୟାଖ୍ୟା କରି ବସନ୍ତୁ ପ୍ରେମର ଉପନ୍ୟାସକୁ,
ଆଉ, ମୁଁ ଚିରାଚରିତ ଢଙ୍ଗରେ,
ପ୍ରେମକୁ ଭିତ୍ତିହୀନ ସଜେଇ,
ତୋର ଭଲପାଇବାକୁ କରିଦେଇଥାନ୍ତି ପ୍ରତ୍ୟାଖାନ....
ଶେଷରେ, ତୁ ପ୍ରେମରେ ବିଫଳତା ପାଇଲା ପରେ,
ନିଜକୁ ଆକୃତଜ୍ଞ ସଜେଇ,
ବିଗତ ଦିନ କେତେଟାକୁ ଦୋଷ ଦେଇ,
ତୁ ହୁଏତ ଭଙ୍ଗା ହୃଦୟରେ ଆଗକୁ ବଢିବାକୁ ଚେଷ୍ଟା କରିଥାନ୍ତୁ
ଜୀବନ ଡଙ୍ଗାରେ ବଞ୍ଚିବାର ଆଶା ନେଇ....
ଆଉ ହୁଏତ, ଯାଉ ଯାଉ ପଚାରି ଦେଇଥାନ୍ତୁ,
ମୁଁ ତ ସମୟ ସ୍ରୋତରେ ପାସୋରି ଯିବି ତତେ,
କିନ୍ତୁ ତୁ କି ଭୁଲିପାରିବୁ ମତେ?
ଆଉ, ମୁଁ ପୁଣି ଥରେ ଛଳନାକରି,
ତତେ ଭୁଲି ଯିବାର ପ୍ରତିଶୃତି ଦେଇ,
ପାଲଟି ଯିବାକୁ ଚେଷ୍ଟା କରିଥାନ୍ତି
ଅନ୍ତତଃ ଗୋଟେ ପରିଚିତ ଅଚିହ୍ନା ଆଉ ଅଜଣା ।

