ବନ୍ଧୁ, ଅଭିମାନରେ ପଦେ
ବନ୍ଧୁ, ଅଭିମାନରେ ପଦେ
ବନ୍ଧୁ ହେ !
କାହିଁ ଡାକୁ ନାହୁଁ ତୋ ପୁରୀ ଧାମକୁ,
ଏଈ ଅଧମକୁ?
ବନ୍ଧୁ ଚର୍ଚ୍ଚା କାଳେ ପଡିବ କି ଭାରି,
ସେଇଥି ପାଈଁକି ତୁ ଯାଉଛୁ କି ଡରି?
ନା' ଦୁଃଖୀ ବନ୍ଧୁ ତୋର ଖାଲି ହାତେ କାଳେ,
ଚାଲି ଯିବ ତୋ ପାଖକୁ,
ତୁ ଡରି ଯାଉଛୁ କି ?
ସମାଜର ସେ ନିନ୍ଦା ଅପବାଦକୁ?
ଜାଣିଛି, ମୁଁ ତୁ ଜଗତର ରାଜା,
ଦୁନିଆରେ ତୋର ସମ୍ମାନ କେତେ,
ଶପଥ କରୁଛି ଖାଲି ହାତେ ମୁହିଁ,
ଭେଟିବାକୁ କେବେ ଯିବିନି ତତେ,
ନେଇଣ ଯିବି ମୁଁ ତୋ ପାଈଁ,
ତୋ ପ୍ରିୟ ତୁଳସୀ ହାର,
ନିଜ ହାତେ ମୁହିଁ ତୋ ଅଙ୍ଗ ସଜାଇ,
ପଠେଇବି ତତେ ତୋ ରାଜନଅର,
ଆଉ ଶୁଣ, ଭାଗ କରିବିନି ତୋର ଷାଠିଏ ପଉଟି,
କି ଛପନ ଭୋଗରୁ କିଛି,
ଭାତ ଲୁଣ ଖାଇ ନିଈତି ବଞ୍ଚୁଛି,
ଲୋଭ ତ କରୁନି ବେଶୀ,
ମୋ ପାଈଁ ମୁଠେ ଅଭଡ଼ା ବଳାଇ ତୁ ରଖି ପାରିଲେ,
ସେଇଥିରେ ମୋର ଖୁସି,
ମହୋଦଧି ଜଳେ, ପଖାଳ କରିଣ
ଆନନ୍ଦରେ ପାଇ, ହେଇ ଯିବି ମୁଁ ମୁକ୍ତି...।।
