ବୟସର କୃଷ୍ଣଚୁଡ଼ା
ବୟସର କୃଷ୍ଣଚୁଡ଼ା
ସମୟର ବୈଶାଖକୁ ଖାତିର ନକରି
ବୃନ୍ତମେଲି ଆବିର୍ଭାବ ହୁଏ
ଅଙ୍ଗ ପାଖୁଡାକୁ ତାର ଅଳସେ ଖେଳାଇ
ଉଷ୍ମତାର ସହରରେ
ଶୀତଳତାର ମାୟାଜାଲ ନେଇ।
ପରାଗର ସମ୍ବାଦ ଖେଳେ
ବାୟୁମଣ୍ଡଳର କୋଣେ ଅନୁକୋଣେ
ସତେକି ସେ ପତ୍ରଲେଖେ
ସବୁଜ କାଗଜରେ ନାରଙ୍ଗୀ ସ୍ୟାହିରେ
ଆମନ୍ତ୍ରଣର ସମ୍ମୋହନୀ ନେତ୍ରେ
କଠୋରତମ ହୃଦୟଟେ ବି ବିହ୍ଵଳିତ ହୁଏ
ପ୍ରେମର ସୁଗନ୍ଧିତ ଲାଲ ଅତରରେ।
କେଉଁ ଦୁରଦେଶରୁ ଧାଇଁ ଆସେ
କଳା ଭଅଁରଟେ ମିଳନର ପ୍ରସ୍ତାବ ଧରି
ରଙ୍ଗୀନ ସଜଡାଲା ଧରି
ସମ୍ବର୍ଦ୍ଧନା ହୁଏ ତାର ସବୁଜ ଶଯ୍ୟାରେ।
ଅଲାଜୁକି ବୟସଟା ହାର ମାନେ
ମାୟାର ଉଛ୍ୱସିତ ପ୍ରେମ ନିବେଦନେ,
ଢ଼ାଳିଦିଏ ନିଜକୁ ସମର୍ପିଦେଇ
କାମନାର ପ୍ରଲୁବ୍ଧ ଧୂପରେ,
ଓ ଜୀବନର ସେ ଲାଲ ଋତୁ
ଅତି ବେଗେ ନିଶାଗ୍ରସ୍ତେ
ଛିଡ଼ା ହୋଇ ଦ୍ୱାର ଖୋଲି ଦେଖେ ଯେବେ
ସୁକୋମଳ ତନୁ ଧାରେ ଦିଶୁଥାଏ
ଚର୍ମର ଲୋଳିତ ତରଙ୍ଗ।
ଏଇବାଟେ ଗଲାବେଳେ
କାଲି ଯିଏ ବେକ ଭାଙ୍ଗି ଘଡ଼ିଏ ଚାହିଁରହି
ନେଉଥିଲା ଅବଶୋଷର ଦୀର୍ଘଶ୍ବାସ ଟିଏ,
ସାଉଁଟି ନେଉଥିଲା ପାଖୁଡ଼ା କେତୋଟି
ହୃଦୟରେ ଆନ୍ଦୋଳିତ କରି
ଏକ ଚରମ ଆନନ୍ଦର ଘନ ଉର୍ମିମାଳା,
ଆଜି ସେ ଚାଲିଯାଏ ବାଟଭାଙ୍ଗି ଦେଖ
ବୟଷର ଫଗୁ ଆଜି ଝଡ଼ି ଗଲା ପରେ।
ତଥାପି ବଞ୍ଚିଛି ସେ ସ୍ମୃତି ଅନୁଭୂତି
ତନୁ ମନ ପ୍ରାଣ ଓ ଚେତନା ଭିତରେ
କୃଷ୍ଣ ଚୁଡ଼ାର ବୟସ ସରିଯାଏ ସତ
ସେ ନାରଙ୍ଗୀ ଚିଠି ଆଜି ବି ହସୁଛି
ମୋ ଡାଏରୀର ପ୍ରଥମ ପୃଷ୍ଠାରେ।

