ବୟସ ଏକ ଅଙ୍କ ମାତ୍ର
ବୟସ ଏକ ଅଙ୍କ ମାତ୍ର


ବୟସ ସିନା ମୋ ସତୁରୀ ଟପିଛି
ହେଲେ କୁତୁକୁତୁ ମନ,
ବାଜିଗଲେ ଦେହେ କଅଁଳ ହାତ ତୋ
ଫେରି ଆସେ ଯଉବନ ;
ଗଣ୍ଠି ବାତ ତେଲ ସାକ୍ଷୀ
ଅଙ୍ଗେ ଅଙ୍ଗେ ମୋର ବିଜୁଳି ଖେଳଇ
ମାରି ଦେଲେ ତୁହି ଆଖି ।।
ପଡେ ମୋର ମନେ ଗାଲରେ ତୋ ଦିନେ
ଚୁମ୍ବନ ଆଙ୍କିଲି ବୋଲି,
ଗୋରା ମୁହଁ ତୋର ଲାଜରେ ଲାଜରେ
ପଡ଼ି ଯାଇଥିଲା ନାଲି;
ନକଲି ଦାନ୍ତର ରାଣ
ଗୋଲାପୀ ଅଧର ଛୁଇଁଦେଲେ ତୋର
ଛାତିରେ ଫୁଟଇ ବାଣ ।।
ଧଳା ବାଳେ ତୋର କଳା ମାରିଦେଇ
ବାନ୍ଧିଦେବି ଲମ୍ବା ବେଣୀ,
ମଲ୍ଲୀର ଗଜରା ଗଭାରେ ସଜେଇ
କରିଦେବି ତୋତେ ରା
ଣୀ ;
ପାୱାର ଚଷମା ଥାଉ
ଅଣ୍ଡାଳି ଅଣ୍ଡାଳି ପ୍ରେମ କରିବା ଲୋ
ଯୁଆଡ଼େ ଯାଉଛି ଯାଉ ।।
ବଢ଼ି ବଢ଼ି ଯାଏ ଡାଇବେଟିସ ମୋ
ମଧୁର ପୀରତି ପାଇ,
ତୁହି ପାଖେ ଥିଲେ ସତ ମୁଁ କହୁଛି
ମରଣକୁ ଭୟ ନାହିଁ;
ହାତରେ ବଙ୍କୁଲି ବାଡି
ଶହେଟି ଫଗୁଣ ଅତିକ୍ରମି ଯାଉ
ଆମ ଏ ପ୍ରେମର ଗାଡ଼ି ।।
ତୁ ପରା ଲୋ ଗୋରୀ ଷୋଡଶ ସୁନ୍ଦରୀ
ଭେଣ୍ଡିଆ ଟୋକାଟେ ମୁହିଁ,
ସମାଜ କଥାରୁ କି ଲାଭ ମିଳିବ
ସେ ସବୁ ଭାବୁ ତୁ କାହିଁ?
ଅଯଥା କଥାକୁ ଛାଡ଼ି
ହାତ ଧରି ସଦା ବାଟ ଚାଲୁଥିବା
ଆମେ ଦୁଇ ବୁଢ଼ାବୁଢ଼ୀ ।।