ବୟସ ଚୋରାବାଲି
ବୟସ ଚୋରାବାଲି
ଅନ୍ଧାରର ଅମୃତ ସାନ୍ନିଧ୍ୟେ ଫଳେ ଜରାୟୁରେ ଜୀବନ ଆଶୀର୍ବାଦ
ଖିଲିଖିଲି ଧୂସର ଶୈଶବରୁ ହିଁ ଆରମ୍ଭ ବୟସର ତୂର୍ଯ୍ଯନାଦ
ଅନାହୁତ ଆତ୍ମୀୟତା ଗଢ଼ିତୋଳେ ସଶ୍ରଦ୍ଧ ସମ୍ପର୍କର ବୁନିଆଦ
ଗୋଧୂଳି ଇଙ୍ଗିତରେ ବିତିଯାଏ ମଧୁର ଶୈଶବର ସ୍ବଳ୍ପ ମିଆଦ।
କୈଶୋରରେ କୁଆଁମାରେ ଜୀବନର କୌତୁହଳୀ ସୁନାଝରା ଫସଲ
ଶୈଶବର ନିରୀହତାକୁ ଘୋଟିଯାଏ ଅଦମ୍ୟ ଜିଜ୍ଞାସାର ବାଦଲ
କ୍ଷଣିକେ ଅନ୍ତରରୁ ଅନ୍ତରୀକ୍ଷ ଯାଏ ଶୁଭିଯାଏ ଅଭୀପ୍ସାର ମାଦଲ
ଦାୟିତ୍ୱ କର୍ତ୍ତବ୍ଯର ଅବବୋଧରେ ବଳିପଡେ କୈଶୋରର କୈବଲ୍ୟ।
ଜୀବନ କୁସୁମ ସତେକି ପ୍ରଷ୍ପୁଟିତ, ଅଗତ୍ୟା ଯୌବନର ପରଶ
ଦୁର୍ବାର ଆକାଂକ୍ଷାରେ ଉଜ୍ଜୀବିତ, ସାମର୍ଥ୍ଯର ଜୁଆରିଆ ଅଭିଳାଷ
ଯୌବନ ଯବକାଚେ ପ୍ରତିବିମ୍ବିତ ଭୋଗ ଭାଗର ଉଚ୍ଚାଙ୍ଗ ବିଳାସ
ଚିମୁଟେ ପହପହକୁ ନିଅଣ୍ଟିଆ ଯୌବନର କେଇଅଳି ଆୟୁଷ।
ଚେତନାକୁ ଜୀବନ୍ଯାସ ମିଳେ ଯେ
ବେ, ନଇଁଆସେ ବାର୍ଦ୍ଧକ୍ଯର ପଣତ
ଜୀବନ ନିର୍ଯ୍ଯାସରେ ବୁଝୁ, ପ୍ରାପ୍ତି ପରିତୃପ୍ତିର ଭାଗଶେଷ ଗଣିତ
ଧର୍ମ ଅଧର୍ମ ପାପ ପୂଣ୍ୟର ଅନୁତାପ ନିଆଁରେ ଅନ୍ତଃକରଣ ଶାଣିତ
ବୟସ ଚୋରାବାଲିରେ ବିଚରା ମୃଗତୃଷ୍ଣା ମେଣ୍ଟାଇବାରେ ଭ୍ରମିତ।
ବାର୍ଦ୍ଧକ୍ଯର ଏହି ନାଲି ପତାକା କି ଅବାଞ୍ଛିତ ମୃତ୍ଯୁର ରାଜଦୂତ?
ଲାଭ ଲୋଭର ସାପସିଡି ଖେଳେ ବିତିଛି ପ୍ରାରବ୍ଧ ଆୟୁଷ ଅମୃତ
କେଇଦଣ୍ଡ ବୟସ ଆୟୁଧେ, ଭୋଗୀରୁ ଯୋଗୀକୁ ତୋ କାମନା ସ୍ପର୍ଦ୍ଧିତ
ଚିର ନିଦ୍ରିତ ଚକ୍ଷୁରେ ଏବେ ମଲା ସ୍ବପ୍ନଙ୍କର ଅଭିଶପ୍ତ ଅତୀତ ।
ଅନିୟନ୍ତ୍ରିତ ଜନ୍ମ ମୃତ୍ଯୁର ବନ୍ଧନୀ ମଧ୍ଯେ ତୋ ବୟସର ବ୍ରହ୍ମାସ୍ତ୍ର
କର୍ଣକୁ ପର୍ଶୁରାମ ଶାପ ପରି ମୋହ ମାୟାର ତୂଣୀରରେ ପରାସ୍ତ
ବୟସ କଉଡ଼ି ଧରି ଜୀବନ ବଜାରେ ସୁଧ ଅସୁଲିରେ ନିର୍ଲିପ୍ତ
ସେରକ ପୂରିଲେ କପାଳ ବାହୁନୁ ବାକିଅଛି ପୁନର୍ଜନ୍ମ ଅୟୁତ ।