STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ବସନ୍ତ ବିଳାସ

ବସନ୍ତ ବିଳାସ

1 min
264


ଫୁଲେଇ ଫଗୁଣ ପ୍ରୀତିର ଓଢଣି ଟାଣି,,

ଇନ୍ଦ୍ରଧନୁ ସାତ ରଙ୍ଗ ବୋଳି ଦେଇ

ଧରାକୁ ମଣ୍ଡାଇ ଲାଣି

ମଙ୍ଗଳ ପ୍ରଣୟ ମଧୁର ସଂଗୀତ

ପରଭୃତ ଗାଇଲାଣି

ଫୁଲେଇ ଫଗୁଣ ପ୍ରୀତିର ଓଢଣି ଟାଣି ।।


ଆମ୍ଵ ବଉଳ ତା ସୁନ୍ଦର ମହକ ବୁଣି,,

ଚମ୍ପା,ନାଗେଶ୍ଵର,ମାଧବୀ,ମାଳତୀ

ଫୁଲ ଫୁଟି ହସିଲେଣି

ବସନ୍ତ ସମ୍ରାଟ ଅଭ୍ୟର୍ଥନା ଅର୍ଥେ

ପ୍ରତୀକ୍ଷା ପ୍ରକୃତି ରାଣୀ

ଆମ୍ଵ ବଉଳ ତା ସୁନ୍ଦର ମହକ ବୁଣି ।।


ଚାରୁଚିତ୍ର ମୟ ମଞ୍ଜୁଳ ଚିତ୍ରେ ଧରଣୀ,,

ଲିମ୍ଵ, କୃଷ୍ଣଚୂଡ଼ା, ପଳାଶ ରଙ୍ଗରେ

ଦିଗାଙ୍ଗୀ ଦେଶେ ରଙ୍ଗିନୀ

ରଙ୍ଗର ରୁତୁ ୟେ ମଳୟ କହୁଛି

ବସନ୍ତ ବିରାଜିତ ଲାଣି

ଚାରୁଚିତ୍ର ମୟ ମଞ୍ଜୁଳ ଚିତ୍ରେ ଧରଣୀ ।।


ଦୋଳରେ ଗୋବିନ୍ଦ ସଙ୍ଗେ ଘେନି ରାଧାରାଣୀ,,

ଚାଚେରୀ ଭୋଗରେ ହୋଇ ଆପ୍ୟାୟିତ

ଗାଆଁ ଗାଆଁ ବୁଲିଲେଣି

ଅବିର ରଙ୍ଗରେ ରଙ୍ଗାୟିତ ସର୍ବେ

ରଙ୍ଗ କି ବରଷି ଲାଣି

ଦୋଳରେ ଗୋବିନ୍ଦ ସଙ୍ଗେ ଘେନି ରାଧାରାଣୀ ।।


ହଳଦୀ ବସନ୍ତ କୁମ୍ଭାଟୁଆ ହୁଟ ପୁଣି,,

ଲତା ବିତାନ ର ତଳେ ନୃତ୍ୟ ରତ

ନେଉଛନ୍ତି ମନ କିଣି

ମାଧବୀ କୁଞ୍ଜରେ ଭ୍ରମର ଗୁଞ୍ଜନ

ବୀଣା ବଜାନ୍ତି କି ବାଣୀ

ହଳଦୀ ବସନ୍ତ କୁମ୍ଭାଟୁଆ ହୁଟ ପୁଣି ।।


ଏମନ୍ତ ବସନ୍ତ ଧରାରେ ବିରାଜି ଲାଣି,,

କୋଟିଏ ଅଳକା ପୁରୀ ର ଲାବଣ୍ୟ

ରୂପେ ଦିଶଇ ଧରଣୀ

ରଙ୍ଗ ବରଷଇ ରାଧିକା ମାଧୋଇ

ଦୋଳେ ଦେଖ ତାଙ୍କ ଠାଣି

ଏମନ୍ତ ବସନ୍ତ ଧରାରେ ବିରାଜିଲାଣି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics