STORYMIRROR

Prashantam Bapu

Abstract Others

4  

Prashantam Bapu

Abstract Others

ବ୍ୟର୍ଥ ସେ ଦୌଡ଼

ବ୍ୟର୍ଥ ସେ ଦୌଡ଼

1 min
221


କ୍ଷତ ଅଚଳ ପାଦଟିଏ 

ଜୀବନକୁ କେଡ଼େ ଅସହାୟ 

ସୀମିତ ନିଥର କରିନଦିଏ ! 

ଏକଗୋଡ଼ିଆ ଡେଇଁ ଡେଇଁ 

କେତେ ଯେ ବାଟ ସେ ଯିବ ?


ପିଲାଦିନର ଏହି ଏକଗୋଡ଼ିଆ ଖେଳ 

କେତେ ମଜାଦାର ନଥିଲା ସତେ !

ଜଣକୁ ଛୁଇଁବା ଯାଏଁ ଦୌଡ଼ିବାକୁ ହେଉଥିଲା 

ହେଲେ ଆଜି ଏ ବୟସରେ 

ନିରର୍ଥକ ଅସହ୍ୟ ଦଣ୍ଡ ଭଳି ଲାଗୁଛି । 


ଏବେ କାହାକୁ ଛୁଇଁ ଏ କଷ୍ଟରୁ

ମୁକ୍ତି ପାଇବାର ଅବକାଶ ବି ନାହିଁ 

ଏସବୁ ପିଲା ଖେଳରେ ସମ୍ଭବ ସିନା

ବାସ୍ତବ ଜୀବନରେ କିନ୍ତୁ 

କେହି ଚାହିଁ କି ବାଧ୍ୟ କରି 

ବାଣ୍ଟି ପାରିବନି ନିଜ କଷ୍ଟ କାହାରିକୁ

ଆଶା କରିବାଟା ନିର୍ବୋଧତା ।


ପେଟେଇ ଆଣ୍ଠେଇ ଚାଲି ଦୌଡ଼ି 

ମାୟା ମିରିଗକୁ ଧରି ପାରିଲାନି ବୋଲି ତ 

ମଣିଷ ଅଦମ୍ୟ ରହସ୍ୟମୟ ପ୍ରକୃତିକୁ , 

ନିରୀହ ପଶୁର ବଳକୁ ଛଳେବଳେ 

ଗୃହପାଳିତ କରିବାର ପ୍ରୟାସ କରୁଛି । 


ନିଜ ଗତିକୁ ଦ୍ରୁତଗାମୀ କରିବାକୁ ଯାଇ

ଦିନେ ଚକ ଗଢ଼ିଲା , ଏହି ଚକ ପାଇଁ

କୁଆଁରୀ ବନ୍ଧୁର ସବୁଜିଆ ପୃଥିବୀକୁ 

ମୃତ ଚିକ୍କଣ ସମତଳ କରିବାରେ ଲାଗିଛି । 


ବିକାଶର ବିଷଚକ୍ରକୁ 

ଆଗକୁ ଆଗକୁ ଆଗେଇ ନେବାକୁ

ଶକ୍ତିଶାଳୀ ଅସୁର ମୋଟର ଖଞ୍ଜୁଛି

ପଶୁ ଶକ୍ତି ବଳି ପଡ଼ିବାରୁ 

ପ୍ରକୃତି ଗର୍ଭରୁ ଇନ୍ଧନ ଶୋଷୁଛି, 

ପାଣି ପବନ ସୂର୍ଯ୍ୟଙ୍କ ଅସୁମାରୀ ଶକ୍ତିରେ 

ଭୋକ ନ ମେଣ୍ଟିବାରୁ 

ପରମାଣୁ ଶକ୍ତିକୁ ନେଇ ତାଣ୍ଡବ ରଚୁଛି । 


ତଥାପି ମଣିଷ ଅତୃପ୍ତ ଅଶାନ୍ତ 

ଘରେ ଅଫିସ୍ ହାଟରେ 

ସମୁଦ୍ର କୂଳେ କି ପୃଥିବୀରେ 

କେଉଁଠି ବି ତା'ର ମନ ଲାଗୁନି 

ଏକମାତ୍ର ଏହି ଜୀବନ୍ତ ଗ୍ରହର ତଣ୍ଟିଚିପି 

କେଉଁ ଅନତି ଦୂରନ୍ତ ନିର୍ଜୀବ ଶୁଷ୍କ 

ଗ୍ରହର ଛାତିରେ ପାଦ ଥାପି 

ନିଜକୁ କାଢୁଆ ତ୍ରିବିକ୍ରମ ମଣୁଛି । 


ଆପଣା ଘରେ ନିଆଁ ଲଗେଇ

ଅନ୍ୟ ଗ୍ରହରେ ଘର ତୋଳିବାର 

ଯୋଜନା ଫାନ୍ଦୁଛି ।


ଏହି ଅବିଶ୍ରାନ୍ତ ବ୍ୟର୍ଥ ଦୌଡ଼ର  

କ'ଣ କେବେ ଅନ୍ତ ନାହିଁ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract