ବଉଳ ଲୋ
ବଉଳ ଲୋ
କମନୀୟ ରୂପ ବର୍ଣ୍ଣର ବିଭବ
ଫଗୁଣରେ ମଧୁଛନ୍ଦା,
ଦୋଳରେ ଗୋବିନ୍ଦ ବଉଳ ସୌଭାଗ୍ୟ
ମାଧୁର୍ଯ୍ୟରେ ପ୍ରୀତିବନ୍ଧା ।
କେଡେ ଭାଗ୍ୟସତେ ମହିମା ଜଗତେ
ରାଧା, ଶ୍ୟାମ ମଥାମଣି,
ଫଗୁ ସମ୍ଭାର 'ରେ ବଉଳ ବାସରେ
ମୁଗ୍ଧ ରୂପକଳ୍ପ ଜିଣି ।
ଦୁଇମନର ସେ ଅକୁହା ଆବେଗ
ବାଉଳା ବଉଳ ସ୍ନେହ,
ରମ୍ୟ ସ୍ନେହସିଗ୍ଧ ଝରା ଅନୁରାଗ
ସରମି ନମ୍ରତା ମୋହ ।
ସବୁଜିମା ଆଜି ଥୁଣ୍ଟା ପାଦପରେ
ମଳୟ ହିଲ୍ଲୋଳେ ବାସେ,
ହୃଦ ପାଦପରେ ବଉଳ ବିହୁନେ
ଚନ୍ଦନେ ଗ୍ରୀଷ୍ମ ବରଷେ ।
ନିତି ସପନରେ ଦୁହେଁ ତୋଳୁଥିଲେ
ସରାଗର ପାରିଜାତ,
ରାତ୍ରି ଜ୍ୟୋଛନାରେ ଚାନ୍ଦ,ତାରାମେଳେ
ହଜୁଥିଲେ ଦୁହେଁ ମିତ ।
କାକର'ର ଭିଜା ପଖଳା ପହରେ
ଚାହିଁ ରହିଥାଅ ମୋତେ,
ଚୁଲ୍ଲୀରେ ବସାଇ ଚା,ବିସ୍କୁଟରେ
ଦାଣ୍ଡରେ ଅଣ୍ଡାଳି ଯେତେ ।
ବଉଳ ଆଜି ବି ଆସୁଛିଲୋ ଗଛେ
ନାହିଁ ସେ ପୁଲକ କାହିଁ,
ଆନପାଇଁ ହୃଦ ଭିଜୁନାହିଁ ସଞ୍ଜେ
ବୃନ୍ଦାବତୀ ମୁହଁ ଚାହିଁ ।
ମଧୁଋତୁ ମଧୁସ୍ପର୍ଶେ ସୁରଭିତ
ବଉଳ, ମାଳତୀ ରଙ୍ଗେ,
ବିବିଧ ରଙ୍ଗରେ ପ୍ରାଣ ପୁଲକିତ
ପ୍ରୀତି ପିୟୁଷ ତରଙ୍ଗେ ।
ଅମୃତ ମହକେ ଭିଜେ କୁଞ୍ଜବନ
ବଉଳର ବାସ୍ନା ଭରି,
ସାତସୁରେ ଗାଏ କୋଇଲି କାନନ
ଲକ୍ଷେ ଫଗୁ ଯାଏ ଝରି ।
ମନ୍ଦ ମଳୟର ନିନାଦିତ ସୁରେ
ଶୋଭା ନବ ବକୁଳରେ,
ବଉଳ ମୋହର ରହିଛି ଲୋ ଦୂରେ
ସ୍ମୃତିକୁ ମୁଁ ' ଝୁରିମରେ ।
ମଧୁର ବେଳାର ମଧୁଝରା କଥା
ଅଧା ବଉଳ ବିହୁନେ,
ନୀଳପରୀ (ବଉଳ )ଆଜି ଦୂରେ ଦିଏ ବ୍ୟଥା
ବିଷାଦ ହୃଦ ଅଙ୍ଗନେ ।
ଅୟୁତ ଭାଷା ମୋ କାନିରେ ବାନ୍ଧିଛ
ବଉଳ ଲୋ ଶ୍ରଦ୍ଧାକରି,
ଅବୁଝା ନୟନେ ଲୁହ ଝରଣାରେ
ପଣତ ଭିଜା ମୋହରିସ।
ଖୋଜୁଛି ଫଗୁଣେ ବଉଳର ବାସ
ଗହନ ବ୍ୟଥାରେ ଭରା,
ଝରା ବଉଳଲୋ ହୃଦୟେ ସୁବାସ
ଫେରି କି ଆସିବ ଧରା ।
ହୃଦୟରେ ସ୍ମୃତି ଅପାଶୋରା ଅତି
ଭୁଲିବିତ ଭୁଲେ ନାହିଁ,
ସେଇ ପିଲାଦିନ ଅତ୍ମୀୟତା ସ୍ମୃତି
ଝୁରେ ବେଳେ,ବେଳେ ମୁହିଁ ।
ନାହିଁ ଅଭିଯୋଗ ନାହିଁ ଅଭିମାନ
ରାଗ, ରୁଷା କେବେ ଥରେ,
ଏମିତି ବନ୍ଧନ ବଉଳ ସ୍ପନ୍ଦନ
ଆନମନା ପରସ୍ପରେ ।
ମମତ୍ୱ ମଧୁର ଅନୁରାଗ ସାର
ବଉଳଲୋ ଆଜି କାହିଁ
ଅଧେଖାଇ ଅଧେ ସାଇତା ସମ୍ଭାର
ହଜାଇଛି ଯାହା ବିହି ।
ହଜିଲା ସୁବାସ ବଉଳର ହସ
ଦୂରେଗଲା ନ ଜଣାଇ,
ସ୍ମୃତିତା ଜୀବନ୍ତ ବିରସ ହୃଦୟ
ଖୋଜେ ବଉଳକୁ ଚାହିଁ ।