ବଡବଡୁଆ ହୋ
ବଡବଡୁଆ ହୋ
(ବଡବଡୁଆ ହୋ ଆଲୁଅରେ ଆ'
ଅନ୍ଧାରରେ ଯା'
କାଶୀ ଗୟା ଶିରୀପୁରସ୍ତମ ଯା'
ଯା' ଦେଇଛ ତା'ପାଇଯା' )
ଗଣେଶ ପୂଜା କି ଦୁର୍ଗା ପୂଜା ଭଳି
ଇଏ ବି ଗୋଟିଏ ପୂଜା
ବଡବଡୁଆଙ୍କ ଆବାହନ ପାଇଁ
କର ଭାଇ ସାଜସଜ୍ଜା।
ପୁରୂବ ପୁରୁଷ କରିବେ ଆଶିଷ
ମର୍ତ୍ତ୍ୟ ପୁରେ ଓହ୍ଲାଇବେ
ନିଜ ବଂଶଦ୍ଭବ ଆତ୍ମୀୟଙ୍କଠାରୁ
ପୂଜା ଗ୍ରହଣ କରିବେ।
ସହଜେ କରୋନା ଭଲକି ହଟିନି
ବୃଦ୍ଧ ବୃଦ୍ଧାଙ୍କୁ ବିପଦ
ଏଣେ ମର୍ତ୍ତ୍ୟଲୋକ ଦୁର୍ନୀତିରେ ଗସ୍ତ
ଭଲ ନାହିଁ ବେଶୀ ମନ୍ଦ।
ପୁଣି ଆସୁଅଛି ବାତ୍ୟା 'ସୀତରଙ୍ଗ'
ଉପକୂଳିଆଙ୍କ ପାଇଁ
ଦୀପାବଳି ଦିନ ପରାଗ ଲାଗୁଛି
ଚିନ୍ତାର ବିଷୟ ସେହି।
ଆଜି କିନ୍ତୁ ବଡବଡୁଆ ଯେତେକ
ଆଲୋଚନା କରୁଛନ୍ତି
ମର୍ତ୍ତ୍ୟକୁ ଆସିବାପାଇଁ କିଛି ସର୍ତ୍ତ
ଅବଶ୍ୟ କରିଅଛନ୍ତି।
ବିଭିନ୍ନ ବିଭାଗ ଆଲୋଚନା ପାଇଁ
ହେଲେ ସେଠି ଉପସ୍ଥିତ
ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ
ସମୀକ୍ଷା କଲେ ବହୁତ।
କୃଷି ବିଭାଗର ବଡବଡୁଆଙ୍କ
ପ୍ରଥମେ କଥା ଉଠିଲା
ବିନା ବଳଦରେ ଆମ ବଂଶଧର
ନିଲାଙ୍ଗୁଡିଆ ଯେ ହେଲା।
ଗାଈ ଯଦି କିଏ ପାଳୁଛି ମର୍ତ୍ତ୍ୟରେ
ଦୁଧେ ପାଣି ମିଶାଉଛି
ଶସ୍ୟ ଉତ୍ପାଦନ ପାଇଁ କିଏ ପୁଣି
ବିଷ ପ୍ରୟୋଗ କରୁଛି।
ବଞ୍ଚିଥିବା ବେଳେ ବୃଦ୍ଧ ପିତା ମାତା
ହେଉଛନ୍ତି ଅଣଦେଖା
ମରିଗଲା ପରେ ଦଶ ଏକାଦଶ
ଶ୍ରାଦ୍ଧ ପିଣ୍ଡ ଲୋକଦେଖା।
ଆଜିକାର ନେତା ଯେ କରନ୍ତି ସେବା
ବୁଝିବାଟା ଦରକାର
ଗାନ୍ଧୀ ଗୋପବନ୍ଧୁ ନେତାଜୀ ନେହେରୁ
ବଡବଡୁଆ ତାଙ୍କର।
ଡାକ୍ତର ମାନଙ୍କ ବଡବଡୁଆ ଯେ
ଚ୍ୟବନ କି ଧନନ୍ତ୍ଵରୀ
ଭୃଗୁ ଓ ଅଙ୍ଗୀରା ଚରସ ବଶିଷ୍ଠ
ଶିବାନନ୍ଦ ବ୍ରହ୍ମଚାରୀ।
ବୈଜ୍ଞାନିକ କୂଳେ ମାର୍କୋନୀ କଲାମ
ଗାଲିଲିଓ ଗାଗାରିନି
ଚିତ୍ରକାରଙ୍କର ବଡବଡୁଆ ଯେ
ପରେଶ୍ ରୟ ଜାମିନୀ।
ସଙ୍ଗୀତ କୂଳର କିଶୋର କୁମାର
ଅକ୍ଷୟ ଭିକାରୀ ବଳ
କବିକୂଳ ବଡବଡୁଆ ଯେ ବ୍ୟାସ
ବାଲମୀକ ମୁନିବର।
ତୁଳସୀ ଦାସଙ୍କ ସହିତରେ ପୁଣି
ରବିନ୍ଦ୍ର ନାଥ ଠାକୁର୍
ପଞ୍ଚସଖା କବି ସନ୍ଥ ଭୀମଭୋଇ
ବଡବଡୁଆ ଆମର।
ତେଣୁ ଏମାନଙ୍କ ଆଦର୍ଶକୁ ଯଦି
ମାନୁଥିବେ ମର୍ତ୍ତ୍ୟ ବାସୀ
ତେବେ ଅଜ୍ଞାନର ଅନ୍ଧାର ହଟିବ
ଆଲୋକ ଯିବ ପ୍ରକାଶି।
କାଉଁରିଆ କାଠି ଦି'ଟା ମିଳୁନାହିଁ
ପୁମ୍ପେଇ ଡାକିବା ପାଇଁ
ବସ୍ତ୍ର ବିନେ ସୂତ୍ର ଦାନ ଦେଇ ଏବେ
କାମ ଦିଅନ୍ତି ଚଳେଇ।
ସେମିତି ହଜାରେ ଦୀପାବଳି ଜାଳି
କିଛି ଲାଭ ହେବ ନାହିଁ
ଭାଗୀରଥି ଭଳି ପୁତ୍ର ଆଉ କାହିଁ
ଯା' ଲାଗି ଗଙ୍ଗା ବହଇ।
ପୁତ୍ ନାମକ ନରକରୁ ଯିଏ
ଉଦ୍ଧାର କରେ ସେ ପୁଅ
ଶ୍ରୀରାମ ଶ୍ରବଣ ଯୁଧିଷ୍ଠିର ଭଳି
କିଏ ହେବ ଆଉ କୁହ?
ପୟା ଶ୍ରାଦ୍ଧ ରୂପେ ଦିପାବଳୀ ପର୍ବ
ପାଳନେ ଈଶ୍ୱର ଖୁସି
ପିତାମାତାଙ୍କର ପଦ ସେବା ଅଟେ
କାଶୀ ପୁରୀ ବାରାଣସୀ।