ଅଧୁରା ସ୍ୱପ୍ନ
ଅଧୁରା ସ୍ୱପ୍ନ
କାହାରି ଜୀବନ ନୁହେଁ ଚିରସ୍ଥାୟୀ
ଧନୀ ହେଉ ବା ଗରିବ
ଅଭିନୟ ଶେଷେ ଅଫେରା ରାଇଜେ
ଦିନେ ତ ଯିବାକୁ ହେବ ।
ଅଧା ରହିଯିବ ଯେତେ ସବୁ ସ୍ବପ୍ନ
ଅଧା ରହିଯିବ ଆଶା
ପକ୍ଷୀ ଉଡିଯିବ ସବୁ ଦିନ ପାଇଁ
ଖାଲି ପଡ଼ିଥିବ ବସା ।
ଦଶ ବାର ଦିନ ପକାଇଣ ମନ
ଝୁରିବେ ଆପଣା ଜନେ
କିଛି ଦିନ ପରେ ଭୁଲିଯିବେ ସବୁ
କେହି ରଖିବେନି ମନେ ।
ଜନମ, ମରଣ ଏଇ ତ ଜୀବନ
ଛାଇ ଆଲୁଅ ର ଖେଳ
ଅଳପ ଦିନର ଗଳପ ସରିଲେ
ଡାକିନେବ ଦିନେ କାଳ ।
ତଥାପି ବୁଝେନା ଏ ଅବୁଝା ମନ
କ୍ଷଣିକ ସୁଖରେ ଅନ୍ଧ
ଗଲା ବେଳେ ସାଥେ କିଛି ବି ନେବାନି
ବୋହି ନେବେ ଚାରି କାନ୍ଧ ।
ଜୁଇର ଖଟରେ ଏଇ ଶରୀରଟା
ହୋଇଯିବ ଦିନେ ଲୀନ
ମାଟିର ଘଟ ଏ ମାଟିରେ ମିଶିବ
ରହିବନି କିଛି ଚିହ୍ନ ।
