ବୁଢ଼ା ବାପାର ଚିଠି
ବୁଢ଼ା ବାପାର ଚିଠି
କେତେ କଷ୍ଟ କରି ବଡ଼ କରିଥିଲୁ
ଦେଖିବାକୁ ଭଲ ଦିନ,
ଅଭାବ ଅନଟନକୁ ଖାତିର ନକରି
ପାଳିଥିଲୁ ତୋତେ ଧନ।।
ପାଠ ପଢ଼ା ପାଇଁ ଯାହା ତୁ ମାଗିଲୁ
ସବୁ ଆଣି ତୋତେ ଦେଲୁ,
ହୋଇଗଲୁ ଏବେ ବଡ଼ ଲୋକ ବୋଲି
ବୃଦ୍ଧା ଆଶ୍ରମେ ଛାଡ଼ି ଗଲୁ।।
ବାପା ଡାକ ମୋଟେ ଶୁଭୁନି ଏଇଠି
ଶୁଭୁନି ଆଉ ଜେଜେ ଡାକ,
ନାତି କଥା ମୋର ଭାରି ମନ ପଡ଼େ
ଘରକୁ ଖୋଜେ ମୁଁ ବାଟ।।
ପିଲା ଦିନେ ଯେବେ ଜର ହୁଏ ତୋତେ
ରାତି ରାତି ଧରି ବସେ,
ଆଜି ଯେବେ ମୁଁ ରୋଗରେ ପଡ଼ିଛି
ଆସୁ ନାହୁଁ ଟିକେ ପାଶେ।।
ଗୋଡ଼ ହାତ ସବୁ ଅଚଳ ହେଲାଣି
ଉଠି ବସି ପାରୁ ନାହିଁ,
ମଇଳା ଶେଯରେ ପଡ଼ି ମୁଁ ରହିଛି
କେହି ଟିକେ ପଚାରୁ ନାହିଁ।।
ଦୁଃଖ ଶୁଣିବାକୁ କେହି ଏଠି ନାହିଁ
ନୀତି ଖାଲି କାନ୍ଦୁ ଥାଏ,
ମରିବା ପାଇଁକି ଇଚ୍ଛା ମୋର ଏବେ
ଦିନ ଖାଲି ଗଣୁ ଥାଏ।।
ଖାଇବା ପିଇବା ରୁଚ ନାହିଁ ଏଇଠି
ତୋତେ ଖାଲି ଆଖି ଖୋଜେ,
ନେଇ ଯାଆରେ ଧନ ପାଖକୁ ତୋର
ଗୁହାରି କରୁଛି ମୁଁ ତୋତେ।।
ମନ ଦେଇ ଟିକେ ଶୁଣିବୁ ଧନରେ
ବୁଢ଼ା ବାପାଟିର ଦୁଃଖ,
ଧନ ସମ୍ପତି କିଛି ଲୋଡ଼ା ନାହିଁ
ଲୋଡ଼ା ଖାଲି ଟିକେ ସୁଖ।।
