STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ବସୁମାତା ବାଣୀ

ବସୁମାତା ବାଣୀ

2 mins
396

ଜଗତଜନଙ୍କ ହିତେ କହେ ବସୁମାତା 

ଶୁଣ ହେ ପ୍ରିୟ ସନ୍ତାନ ଏମନ୍ତ ବାରତା‌।


ଆଜି ବସୁମତୀ ସ୍ନାନ କର କାହିଁ ପାଇଁ

ସର୍ବଦା ଦୁଃଖ ସାଗରେ ବୁଡି ମୁଁ ମର‌ଇ।


ଜରାଜୀର୍ଣ୍ଣ କ୍ଷତାକ୍ତ ମୁଁ ପୁଣି ରୋଗଗ୍ରସ୍ତ

ଆଖିରୁ ମୋ ଲୁହ ଝରୁଅଛି ଅବିରତ।


ମୋ ଦେହ ଫୁଟାଇ ନଳକୂପ ବସାଉଛ  

ନଭଶ୍ଚୁମ୍ଭୀ ଉଆସ ମୋ ଛାତିରେ ନଦୁଛ


କଳକାରଖାନା ପୁଣି କେତେ ନିର୍ମାଣୁଛ

କେତେ ଭାର‌ ବହୁଛି ମୁଁ ଭାବିକି ପାରୁଛ?


ସବୁଜିମା ବସ୍ତ୍ର ବିନେ ଅର୍ଦ୍ଧନଗ୍ନ ମୁହିଁ  

ଯେଣୁ ପଦା କଲ ବୃକ୍ଷରାଜି କାଟିଦେଇ‌


ନ‌ଈନାଳ ଜଳାଶୟ ପାଣି ମୋ ଦୂଷିତ

ତେଣୁ ଏହି କାରଣରୁ ମୁଁ ସଦା ଦୁ଼ଃଖିତ। 


କଂକ୍ରିଟ ଚାଦରେ ମୋର ଦେହ‌ ଆବରଣ

ଅଣନିଃଶ୍ୱାସୀ ପରାଏ ମୋହର ଜୀବନ


ଅଗ୍ନି ଜଳବାୟୁ ଆଉ ଆକାଶ ଏ ମାଟି

ସଭିଏଁ ଦୂଷିତ କୁହ ବଞ୍ଚିବି କେମିତି ?


ଏ ପଞ୍ଚଭୂତ ସରବେ ଆଜି ରୋଗାକ୍ରାନ୍ତ

କିପରି ଏ ପରିବେଶ ହେବ କୁହ ଶାନ୍ତ? 


ଝିଅ ମୌସୁମୀ ମୋହର ସର୍ବଦା ଅଶାନ୍ତି  

ଆସିବାକୁ ଇଚ୍ଛା କରୁନାହିଁ ସେ କଦାପି।


ପରିବେଶ ସନ୍ତୁଳନ ଯେଣୁ ରହୁନାହିଁ  

ଲଘୁଚାପ ଦୁର୍ବିପାକ ବାତ୍ୟା ପ୍ରବେଶ‌ଇ


ଅଂଶୁଘାତ ଭୂମିକମ୍ପ ବନ୍ୟା କ୍ଷତି କରେ

କିପରି ରହିବ ଏହି ସଂସାର ସୁଖରେ?


ନାଗମାତା ମୋତେ ସିନା ମସ୍ତକେ ଧରିଛି

ମୁଁ କିବା ତୁମ ଜଞ୍ଜାଳ ସହିକି‌ ପାରୁଛି? 


ବରଷକେ ଥରେ ମୁହିଁ ହୁଏ ରଜସ୍ୱଳା

ଶସ୍ୟଧାନ ଭରିବାକୁ ମୋର‌ ଏହି ଲୀଳା


ରଜପରବ‌ ଆନନ୍ଦେ ତୁମେ ପାଳୁଅଛ  

ମୋର ସ୍ନାନ ଅନ୍ତେ ଭୂମି ଦହନ କରୁଛ।


କୃଷିକାର୍ଯ୍ୟ ଆରମ୍ଭୁଛ ମୋ ପ୍ରିୟ ସନ୍ତାନ

ନାନା ରସାୟନ‌ ସାର କରୁଛ କ୍ଷେପଣ। 


ଶକ୍ତି ମୋର ଦିନୁଁ ଦିନ ଯାଏ ଅପସରି‌  

ତେଣୁ ସୁସ୍ଥ ଶସ୍ୟ ପାରୁନାହିଁ ଜନ୍ମ କରି


ମୁଁ ଧରିତ୍ରୀ ମାତା ତୁମ ପିତା ଯେ ଆକାଶ

ତାଙ୍କ‌ ଓଠେ ଦେଖୁ ନାହିଁ ମୁହିଁ ଯେଣୁ ହସ


କିପରି ହରଷେ ମୋଠିଁ ବରଷିବେ ଜଳ

ତେଣୁ ମୁହିଁ ହୁଏ ସଦା ଡହଳବିକଳ।


ଯଦି ମାତାପିତା ଖୁସି ରଖିବାକୁ ଚାହଁ

ବାଡ଼ିବଗିଚା ସବୁଠିଁ ବୃକ୍ଷ ଯେ ଲଗାଅ।


ସବୁଜିମା ହେବି ମୁହିଁ ସୁନ୍ଦର ଦିଶିବି‌  

ମୋ ପତିଦେବ ଆକାଶ ମନ ଆକର୍ଷିବି।


ତେଣୁ ଅବିଳମ୍ବେ ମୋର ମନକୁ ବୁଝିବେ

ବରଷି ଅମୃତଧାରା‌ ମୋ ମନ ରଞ୍ଜିବେ।


ତେଣୁ ମାତୃପଣ ମୋର ସାର୍ଥକଟି ହେବ

ପଣତରୁ ମୋର ଖାଲି ମମତା ଝରିବ‌।


ମାଟି ଆକାଶର ମହା‌ମିଳନ ଏ ରଜ  

ଆନନ୍ଦେ ଅଧିର‌ ମୁହିଁ ଦେଖି ସଜବାଜ


ହେ ପ୍ରିୟ ସନ୍ତାନ ଯଦି ମାନିବ ମୋ ବାଣୀ

ଧନଧାନ୍ୟେ ପୁରିଯିବ‌ ତୁମ ଏ ଧରଣୀ।



Rate this content
Log in

Similar oriya poem from Tragedy