ବସନ୍ତର ଚିଠି
ବସନ୍ତର ଚିଠି
ପ୍ରକୃତି ରାଣୀର ସମୟ ଚକ୍ରରେ
ଋତୁ ଟି ପରିବର୍ତ୍ତନ
ବର୍ଷକରେ ବାର ମାସ ହୁଅଇ ଟି
ଛଅ ଋତୁ ଭାଇ ଜାଣ ।
ଦୁଇ ମାସ କରେ ଏକ ଋତୁ ଭୋଗ
ପ୍ରକୃତିର ଅବଦାନ
ଗ୍ରୀଷ୍ମ ପରେ ବର୍ଷା ଶରତ, ହେମନ୍ତ
ଶୀତ, ବସନ୍ତ ପ୍ରଧାନ ।
ବସନ୍ତ ଲେଖୁଛି ଶୀତକୁ ଚିଠି ଯେ
ଜାଣିବ ହେ ବଡ଼ଭାଇ
ତୁମ ଭୋଗ ବେଳେ ଶୀତର ଦାଉରୁ
ରକ୍ଷା ପାଇବା ପାଇଁ ।
କମଳ ଚଦର ସାଲ, ସିଉଟର
ଜ୍ୟାକେଟ ଓ ମଫଲର
ସବୁ ଲୋଡି ଲୋକେ ଆଦରୀ ନିଅନ୍ତି
ଲୋଡ଼ା ଉତ୍ତାପ ନିଆଁର ।
ଭେଲାବାନ୍ଧି ଲୋକେ ନିଆଁ କୁ ତାପନ୍ତି
ପାହାନ୍ତି ପ୍ରହରୁ ବେଳେ
ବୃଦ୍ଧା ଅବା ଯୁବା ପାଣିକୁ ଡରନ୍ତି
ଶୌଚ ସ୍ନାନ କଲାବେଳେ ।
ମୋର ଭୋଗ ହେବ ମାଘ ଫାଳଗୁନ
ମଧୁର ମହକ ବାସ
ମଳୟ ବତାସେ ଜନମନ ଜିଣି
କରେ ମୁହଁ ହସହସ ।
ନବ ପଲ୍ଲବିତ କୁସୁମ କାନନ
ବସନ୍ତର ଆଗମନ
ଆମ୍ବ ବଣରେ ଯେ କୋକିଳ ରାବଇ
କୁହୁ କୁହୁ କରିତାନ ।
ରାଧା କୃଷ୍ଣଙ୍କର ଅମର ପ୍ରେମର
ମୋ ଭାଗେ ହୁଏ ବଣ୍ଟନ
ହୁଏ ଦୋଳଜାତ ଅବୀର ଖେଳନ୍ତି
ଜଗତ ଭକତ ଜନ ।
ବସନ୍ତ ରାହାସ କେଳି କୁଞ୍ଜବନେ
ଅବୀରେ ହୁଏ ମଣ୍ଡନ
ନାନା ଜାତି ଫୁଲ ନବ ପଲ୍ଲବିତ
ମୃଦୁ ମଳୟ ପବନ ।
ବସନ୍ତର ଚିଠି ପଢ଼ିସାରି ଶୀତ
ଖିଲିଖିଲି ହୋଇ ହସେ
ଆର ବରଷକୁ ଦେଖିବା ପରଖି
ଜଗିବାକୁ ହେବ ବର୍ଷେ ।

