ବସନ୍ତର ଆଗମନେ
ବସନ୍ତର ଆଗମନେ
ବସନ୍ତର ଆଗମନେ ପ୍ରକୃତି କାନନେ
ପତ୍ରଝଡ଼ା ଦିଏ ଏଠି ରକ୍ତ କୃଷ୍ଣଚୂଡ଼ା
ମନ୍ଦ ସମୀରଣର ମୃଦୁ ଲହରୀରେ
ହରିନିଏ ଶରୀରର ଯାବତୀୟ ପୀଡା l
ଶାନ୍ତ ସୁଶୀତଳ ହୁଏ ପ୍ରକୃତିର କୋଳ
ନଥାଏ ନିଦାଘ କି ନଥାଏ ଶୀତ
ରଙ୍ଗ ବେରଙ୍ଗର ଫୁଲେ ହୋଇ ସଜବାଜ
ପ୍ରକୃତି ଭାଷଇ ଏଠି ଆସିଛି ବସନ୍ତ l
ମନ ହୁଏ ପୁଲକିତ ପ୍ରକୃତିର ସୁଷମାରେ
ଜାତି ଜାତି ଫୁଲ ଆଉ ଫଳର ସମ୍ଭାର
ଚୂତ ଡାଳରେ ବସି କୋଇଲି କୁହାଟଇ
ଭାସି ଆସେ ମଳୟରେ ତା'ର ମଧୁ ସ୍ୱର l
ମହକରେ ଯାଏ ଭରି ନଗରଠୁ ପୁର ପଲ୍ଲୀ
ପ୍ରକୃତି କାନନେ ଆମ୍ବ ବଉଳର ବାସ୍ନା
ଶାନ୍ତ କରେ ମନପ୍ରାଣ ମହୀ ହୁଏ ଆବରଣ
ପୂର୍ଣ୍ଣିମା ରାତିରେ ଉଦିତ ନିଶାକର ଜ୍ୟୋସ୍ନା l
ନଥାଏ ମେଘର ଦେଖା ରବି କର ତେଜ ମୁଖା
ଚଉଦିଗେ ବିରାଜଇ ନିର୍ମଳ ଆକାଶ
ପ୍ରକୃତିର ଅବକାଶେ ନୀରବତା ଯହିଁ ଭାସେ
ଋତୁରାଜ ଆଗମନେ ଶାନ୍ତ ପରିବେଶ l
ବୃକ୍ଷ ତରୁ ଲତା ଗଣ ନବପଲ୍ଲବରେ ମଣ୍ଡି
ଜନମନ ପୁଲକିତେ କରନ୍ତି ହରଣ
ନବ ଉଦ୍ଦୀପନା ଘେନି ନର ପଶୁ ପକ୍ଷୀ କୀଟ
ଚଳନ୍ତି ଭାସ୍ଵରେ କରି ନବ ଗୁଞ୍ଜରଣ l
ମଧୁ କାଳେ ମହୀ କୋଳେ ଏ ଜଗତବାସୀ
ପ୍ରକୃତି କାନନେ ସର୍ବେ ଲଭନ୍ତି ପ୍ରଶାନ୍ତି
ମଧୁମକ୍ଷି ଗୁଞ୍ଜରଣ କରଇ ଚିତ୍ତ ହରଣ
ହଳଦୀ ବସନ୍ତ ଡାଳରୁ ଡାଳକୁ ଭ୍ରମନ୍ତି l
ଅନ୍ନ ପ୍ରାଚୁର୍ଯ୍ୟରେ ଧରା ହୋଇଉଠେ ଆତ୍ମହରା
ନଥାଏ ମଧୁକାଳେ କ୍ଷୁଧାର ପ୍ରାବଲ୍ୟ
ସୁଖରେ ଜଗତବାସୀ ଆତ୍ମ ତୃପ୍ତି ପରକାଶି
ସକଳ ବାଧାରୁ ଲଭନ୍ତି ମୁକ୍ତିର କୈବଲ୍ୟ l
ଛଅ ଋତୁ ମଧ୍ୟେ ସାର ଋତୁରାଜ ବସନ୍ତ
ଫାଲ୍ଗୁନ, ଚୈତ୍ର ମାସ ନାମ ଅଟେ ବେନି
ଏ ଧରା ବକ୍ଷରେ ଧିରେ ଆସେ ଅବତରି
ପଲ୍ଲୀପ୍ରକୃତିର ଭବ୍ୟ ସୌନ୍ଦର୍ଯ୍ୟକୁ ଘେନି l