ବସନ୍ତ
ବସନ୍ତ
ଋତୁ କାଳ ଚକ୍ରେ ମଧୁମାସ ଆସି
ଭରିଲା ଶିତଳ ମୋହ
କେତେ ଶୀଘ୍ର ଆସେ ବିଦାୟର ବେଳା
ଅନୁଭବେ ଜାଗେ କୋହ ।
କୁସୁମ ଜଗତେ ଖେଳାଇ ଦେଲା ସେ
ସୁଗନ୍ଧ ସୌରଭ ବାସ
ଆଜି ସେ ଆନନ୍ଦ ସକଳ ପରାଣେ
ନୃତ୍ୟ ରତେ ନିତ୍ୟ ଲାସ୍ୟ ।
ମର୍ତ୍ତ୍ୟ ଭୂମଣ୍ଡଳେ ଚିରସ୍ଥାୟୀ ନୁହେଁ
ଋତୁରାଜ ଦିଏ ଶିକ୍ଷା
କୁଣ୍ଠିତ ନହୁଅ ସ୍ନେହ ପ୍ରୀତି ଦାନେ
ସ୍ଥିର ନୁହେଁ ଭାଗ୍ୟ ଶିଖା ।
ଚିତ୍ତହାରୀ ଏଇ ବସନ୍ତ ମଳୟ
ବିନା ସ୍ବାର୍ଥେ ସେବା କରି
ଉତଫୁଲ୍ଲିତ ଭାବେ ମନ ମନ୍ଦିରରୁ
ସୁଖେ ଯାଏ ଅପସରି ।
ରହି ଯାଏ ସ୍ମୃତି ଶୀତୁଆ ପିରତି
ମିଠା ମିଠା ଅନୁଭବ
ଅପହଁଞ୍ଚ ଦୂରେ ବାସ ଯେ ତାହାର
ବରଷକେ ଉଦ୍ଭବ ।
ସ୍ନେହପୂର୍ଣ୍ଣ ପତ୍ର ଛାଡି ଦେଇ ଗଲା
ସଭିଏଁ ତାହାର ସାଥୀ
ହେଉ ଚିନ୍ତାକୁଳ କିବା ପ୍ରେମୀ ମେଳ
ସକଳ ପ୍ରାଣର ରଥୀ ।
ଭୂଲି ରାଗ ଦ୍ୱେଷ ଢାଳିବ ଆଶିଷ
ଶାନ୍ତି ହେବ ପଲ୍ଲବିତ
ଉନ୍ମୁକ୍ତ ଗଗନେ ସୁଖେ ନିଦ୍ରା ଯିବ
ପାପ କଲେ ଉନ୍ମୁଳିତ ।