ବସନ୍ତ ବର୍ଣ୍ଣନା
ବସନ୍ତ ବର୍ଣ୍ଣନା
ବହି ଆସେ ଧୀରେ ଗନ୍ଦବହ ଚାରୁ
କୁସୁମ ସୁରଭୀ ଭାର
ବହି ସୁଲୁ ସୁଲୁ ଗୀତି ତାଳେ ତାଳେ
ବିଦାୟ ଦେଇ ଶୀତର ॥
ବିରାଜିବେ ଏବେ ଋତୁ ରାଜ ସଜ
ହେଲାଣି ନବ ବେଶରେ
ବିଶୋଭାଇ ଋଚି ଆହାକି ସୁରୁଚି
କମ ‐ଚିତ୍ର ରାଜି ଧରେ ॥
ବନେ ଉପ ବନେ କୋମଳ ପଲ୍ଲବେ
ସାଜି ତରୁଲତା ଚୟ
ବୋଳି ହୋଇ ମଧୁ ବିତରନ୍ତି ସବୁ
ଚାରୁ ମଧୁର ମଳୟ ॥
ବହି ଗନ୍ଧବହ ବାସ ମହମହ
ଚହଟାଇ ଦଶଦିଶ
ବିଚରି ସଂଚାରେ ବାରତା ପ୍ରସାରେ
ବୀଣାଜିଣା ସୁସନ୍ଦେସ ॥
ବର୍ଣ୍ଣିଳ ସୁଷମେ ବେଶ ବିଭୂଷଣେ
ବସୁନ୍ଧରୀ ରମ୍ଯତର
ବିଳାସ ବିଲୋଳ ବସୁଧାର କୋଳ
ବେଳା ଏହି ଆନନ୍ଦର ॥
ବନ ପରବତ କାନନ ସରିତ
ବସନ୍ତ ରାଜତ୍ବେ ରମ୍ଯ
ବିଚିତ୍ର ପ୍ରକୁତି ବିରାଜି ସଂପ୍ରତି
ବର୍ଣ୍ଣାଢ୍ଯ ସୁ‐ମନୋରମ ॥
ବେଶ କାନ୍ତି ବିଭା ବିଭାସେ କି! ଶୋଭା
ବିକିରଣେ ଅବିରତ
ବର୍ଣ୍ଣୋତ୍ସବ ମୟ ପ୍ରକୁତି ଲାବଣ୍ଯ
ବିସ୍ତାର ରତ ସତତ ॥
ବକୂଳ ଓ ଚୂତ ବୃକ୍ଷ ଶାଖେ ଋତ
ବିରଚେ ଏବେ କୋକିଳ
ବସନ୍ତ ଆଗମ ବାର୍ତ୍ତା ସଂଚରଣ
ବସନ୍ତ ପକ୍ଷୀ ଚହଳ ॥
ବିରଚି ସୁଋଚି ସଂଗୀତ ରେ ଚିତ୍ତ
ବିହରନ୍ତି ଚକ୍ରବାକ
ବଣୀ, ଶୁଆ , ଶାରୀ ମୟୂର ମୟୂରୀ
ବକ, ଚଟିଆ ଓ କାକ ॥
ବୁଲି ନିତି ଏବେ ଆନନ୍ଦେ ସରବେ
ସ‐ରବେ କୂଜନେ ରତ
ବିଲ ବନେ ପୂର୍ଣ୍ଣ ଫଳ ପୁଷ୍ପ ପର୍ଣ୍ଣ
ପ୍ରସୂନ ସୁରଭି ନିତ୍ଯ ॥
ବେଶ ବାସ ଭୂଷା ବର୍ଣ୍ଣ ଲାସ୍ଯ ଭାଷା
ବିରାଜେ ଲଳିତ ଛବି
ବସନ୍ତେ ବାସନ୍ତି ସୁଷମା ସୁ‐ଶାନ୍ତି
ବର୍ଣ୍ଣିବା ଆରମ୍ଭେ କବି ॥
ବର୍ଣ୍ଣାଢ୍ଯ ପାଟବେ ବିଶୋଭାଇ ଭାବେ
ଆଙ୍କେ ଶୋଭା ଚିତ୍ରକର
ବିବର୍ଦ୍ଧିତ କରେ ବିଶେଷ ଭାବରେ
ବିଭା ମାତ୍ର ବସନ୍ତର ॥

