ବର୍ଷା
ବର୍ଷା
ସମସ୍ତ ରୌଦ୍ରକୁ ନୀଳକଣ୍ଠ ପରି ପିଇ
ସବୁଜ ରଙ୍ଗର ଟାଟୁ ଦେହସାରା କରି
କିଏ ତୁ ଝିପି ଝିପି ଓଦା ମାଟିରେ
ରିମ ଝିମ ପାଉଁଜି ସ୍ଵରେ
ତନୁ ମନ ଓଦା କରୁ ଭିଜା ମାଟି ବାସ୍ନାରେ
ତୁ ଷୋଡଶୀ ବାଦଲ ରାଜା ଝିଅ
ଆକାଶ ଉଆସ କରି ଡାକୁଥିଲା ରହ
ଧରାରେ ଉଷସୀ କେତକୀରେ ଦୁଇଟୋପା
ଉଷ୍ମ ଲୁହ କାହା ପାଇଁ କହ
ତୁ ପିଆସୀ ଚାତକୀ ପାଇଁ
ମୟୁର ପ୍ରେମ ହଳାହଳ ବିଷ ପିଇ ଦେଇ
ନାଚୁଛି ଛମ ଛମ ଛମ
ବେଙ୍ଗ ପଚାରେ ବେଙ୍ଗୁଲିକୁ ଏ ଅମୃତ ବାରି
କାହିଁ କରୁଛି ଏତେ ସରି
ବିଜ୍ଞାନ ଓ ବିଜ୍ଞାନୀ ଭିତରେ ପାଣିର ଜୁଆର ଭଟ୍ଟା
ଆମ ପାଇଁ ଆଉ କି ଦରକାରୀ
ଏତେ ପ୍ରଶ୍ନ ଏତେ ଉତ୍ତର ଭିତରେ
ବର୍ଷା କହେ ମେଘ ଭାରି ସୁକୁମାରୀ
ଗେଲବସରରେ ମୌସୁମୀ
ବାଡ଼ୁଅ ପାଣି ଗାଧେଇ ବର୍ଷା
ନବବଧୂ ମେଘ ଚାହେଁ ସାଧବବୋହୁକୁ
ଶିଖେଇବ ଘରକରଣା ହାତେ ମାପି ଚାଲିବାକୁ
ନଚେତ ପ୍ରଳୟ ବାଆ ବତାସ ସୁନାମୀକୁ
କିଏ ରୋକିବ!
ସେହି ବର୍ଷା ଯାହାର ଅନେକ ନାମ ଗୁଣ
ଧର୍ମ କିନ୍ତୁ ଏକଦମ ଏକାନ୍ତ ବେଉଷଣ ।