ବର୍ଷା ତୁମେ ପୁଣ୍ୟପ୍ରସୂ
ବର୍ଷା ତୁମେ ପୁଣ୍ୟପ୍ରସୂ
ରାତି ପାହିଗଲା ସବୁ ଶୁନଶାନ
ଅଚିନ୍ତା ନିଦ୍ରାରେ ସୁପ୍ତ ଜନପଦର
ଚାରିଆଡ଼େ ଥପ ଥପ ଶବ୍ଦ
ଝାପ୍ସା ଝାପ୍ସା ବାରି ହେଇଯାଉଥିଲା
ନିଦ ମଳ ମଳ ପାଦ ଟଳମଳ
ସେଇ ଓଦା ସର ସର ବାସ
ଭସା ବାଦଲର ଛାଇ ପରି
କାନି ଘୋଷାରି ଘୋଷାରି
ଜଳ ଜଳ ଚଳ ପ୍ରଚଳ
ଅଗଣା ଅଗଣା ପ୍ରଗଣା ପ୍ରଗଣା
ବର୍ଷା, ତୁମ ନିଶ୍ଵାସର କୁଜଝଟିକାରେ
ରଖିଛ ନଜର ବନ୍ଦୀରେ ।
ଝଡ଼ ବତାସରେ
ଭାରି ଭାରି ବୃକ୍ଷରାଜି ମଥାନତ
ଜିତା ଅପରାଜିତା ରଥାରୂଢ ଅଶ୍ୱ ଭଳି
ବାହି ଆଣିଛନ୍ତି ଶ୍ରାବଣର ସ୍ୱପ୍ନ ରାଇଜକୁ
ଦୃବାଦଳ ମଥା ତୋଳି
ଚୁମି ଯାଉଛନ୍ତି ଅମୃତର ଧାରା,
ନଅଙ୍କରୁ ଅଣ୍ଟା ସଳଖୁଛନ୍ତି
ଜୀର୍ଣ୍ଣଶୀର୍ଣ୍ଣ ପାମ୍ପରା ଯେତେ ଥୁଣ୍ଟା ଜୀବନ ।
ବାହୁଙ୍ଗା ବେଣୀରୁ, ପତ୍ରଫଡିରୁ
କୋଶ କୋଶ ପଡ଼ି ଉଠି
ସ୍ରୋତର ନିର୍ଝର କାଟୁଛି ଶିଆର
କାବୁ କରି ସାରିଲାଣି
ମଥାନରୁ ମେଦିନୀ, ତଟରୁ ତଟିନୀ
ହତାଶର ହୁତାଶନ ନିର୍ବାପିତ
ଆଜି ଖାଲି ସମ୍ଭାବନା
ଅଙ୍ଗେ ଅଙ୍ଗେ ଉନ୍ମାଦନା
ବର୍ଷା, ତୁମେ ପୁଣ୍ୟପ୍ରସୂ ପ୍ରଗଳଭା
ଶ୍ୟାମଳିମା ଅନ୍ତଃସତ୍ଵା
ପ୍ରବହମାନ ମହାସତ୍ତା
ସର୍ଜ୍ଜନାର ଆଲିଙ୍ଗନେ ଆତ୍ମହରା ।.