STORYMIRROR

Krushna Mohan Satpathy

Romance Others

4  

Krushna Mohan Satpathy

Romance Others

ବର୍ଷା ତୁମେ ପୁଣ୍ୟପ୍ରସୂ

ବର୍ଷା ତୁମେ ପୁଣ୍ୟପ୍ରସୂ

1 min
324

ରାତି ପାହିଗଲା ସବୁ ଶୁନଶାନ

ଅଚିନ୍ତା ନିଦ୍ରାରେ ସୁପ୍ତ ଜନପଦର

ଚାରିଆଡ଼େ ଥପ ଥପ ଶବ୍ଦ

ଝାପ୍ସା ଝାପ୍ସା ବାରି ହେଇଯାଉଥିଲା 

ନିଦ ମଳ ମଳ ପାଦ ଟଳମଳ

ସେଇ ଓଦା ସର ସର ବାସ

ଭସା ବାଦଲର ଛାଇ ପରି

କାନି ଘୋଷାରି ଘୋଷାରି

ଜଳ ଜଳ ଚଳ ପ୍ରଚଳ

ଅଗଣା ଅଗଣା ପ୍ରଗଣା ପ୍ରଗଣା

ବର୍ଷା, ତୁମ ନିଶ୍ଵାସର କୁଜଝଟିକାରେ

ରଖିଛ ନଜର ବନ୍ଦୀରେ ।


ଝଡ଼ ବତାସରେ 

ଭାରି ଭାରି ବୃକ୍ଷରାଜି ମଥାନତ

ଜିତା ଅପରାଜିତା ରଥାରୂଢ ଅଶ୍ୱ ଭଳି

ବାହି ଆଣିଛନ୍ତି ଶ୍ରାବଣର ସ୍ୱପ୍ନ ରାଇଜକୁ

ଦୃବାଦଳ ମଥା ତୋଳି 

ଚୁମି ଯାଉଛନ୍ତି ଅମୃତର ଧାରା,

ନଅଙ୍କରୁ ଅଣ୍ଟା ସଳଖୁଛନ୍ତି 

ଜୀର୍ଣ୍ଣଶୀର୍ଣ୍ଣ ପାମ୍ପରା ଯେତେ ଥୁଣ୍ଟା ଜୀବନ ।


ବାହୁଙ୍ଗା ବେଣୀରୁ, ପତ୍ରଫଡିରୁ

କୋଶ କୋଶ ପଡ଼ି ଉଠି

ସ୍ରୋତର ନିର୍ଝର କାଟୁଛି ଶିଆର 

କାବୁ କରି ସାରିଲାଣି

ମଥାନରୁ ମେଦିନୀ, ତଟରୁ ତଟିନୀ

ହତାଶର ହୁତାଶନ ନିର୍ବାପିତ

ଆଜି ଖାଲି ସମ୍ଭାବନା 

ଅଙ୍ଗେ ଅଙ୍ଗେ ଉନ୍ମାଦନା

ବର୍ଷା, ତୁମେ ପୁଣ୍ୟପ୍ରସୂ ପ୍ରଗଳଭା 

ଶ୍ୟାମଳିମା ଅନ୍ତଃସତ୍ଵା

ପ୍ରବହମାନ ମହାସତ୍ତା 

ସର୍ଜ୍ଜନାର ଆଲିଙ୍ଗନେ ଆତ୍ମହରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance