ଏ ଫୁଲ କହନା
ଏ ଫୁଲ କହନା
ନିସଂକୋଚ ନିରୀହ କଳିକା
ଖେଳୁଥାଏ ଲୁଚି ଛପି ପତର କୋଳରେ
ଶିଶିର ସ୍ପର୍ଶରେ ଗୋଲାପି ଅଧର
ଆଖି ବୁଜି ଖୋଜୁଥାଏ ଅଲୋକ ଆଧାର
ଚିନ୍ତା ରହିତ ଅସ୍ମିତା ବିବର୍ଜିତ
ଅଜ୍ଞାନ ଅନ୍ଧାରୁ କେବେ ହେବ କୁସୁମିତ
କଅଁଳ ସକାଳର ଅପ୍ରକଟ ଭବିଷ୍ୟତ !
ମୁକ୍ତ, ଛୋଟ ଏକ ଦୁନିଆର ଉଦ୍ୟାନରେ
ଆଖି ଆଢୁଆଳେ ଆଚ୍ଛନ୍ନ ପଣତ କାନିରେ
ମଲ୍ଲି ଯୂଇ ମାଳତୀ ଅଙ୍ଗରାଗ ସାଞ୍ଜୁ ପରି
ବେଢ଼ି ରଖିଥାନ୍ତେ ଅବା କେତେ ଦିନ,
ପ୍ରଗଳ୍ଭ ସେ ବର୍ଣିଳ କାନ୍ତିର ଆଭା
ଦେଖୁ ଦେଖୁ ପାଲଟେ ମମତାର ଉତ୍ସ
ଅନ୍ତରାତ୍ମା ଆଉ କାହା ହୃଦ ପ୍ରାଙ୍ଗଣର !
ପ୍ରସ୍ଫୁଟିତ ପଥ କିନ୍ତୁ ଆଶଙ୍କାରେ ଜର୍ଜରିତ
ରଙ୍ଗ ବଦଳେ ସର୍ଜନାର ଦୃଷ୍ଟି ବି ବଦଳେ
ବିକ୍ଷିପ୍ତ ପରାଗ ରେଣୁ ବିଭାଜିତ ପ୍ରାଣ ବିନ୍ଦୁ
ବଢ଼ାଏ ଦୂରତ୍ୱ, ଅପ୍ରତିହତ ଜୀବନର ଧାରା
ମଉଳା ଫୁଲର ବାସ କ୍ରମେ ହୁଏ ଅପହଞ୍ଚ
ନୂଆ ପରିଚୟ ନୂତନ ଠିକଣା ;
ଲିଭି ଲିଭି ଯାଏ ମାଟିର ଅଳତା
ଲୁହପରି ଝରିପଡ଼େ କ୍ଷତ ବିକ୍ଷତ ପାଖୁଡ଼ା
ଆଜି ଛଡ଼ା ଫୁଲ, କାଲି ମୃଣ୍ମୟ ପିତୁଳା !