STORYMIRROR

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
214


 

ଭୁଲି ମୁଁ ପାରୁନି ଜମା ବରଷାର ସ୍ମୃତି,

ମାଟିର ସେ ଭୁରୁଭୁରୁ ବାସ୍ନା, ନରମ ଘାସ ଗାଲିଚା

ନାଲି ଟୁକୁ ଟୁକୁ ସାଧବବୋହୁର ଚାଲି ,

ଅନାହତେ ମୋ ହୃଦୟେ ଦିବ୍ୟ ତାର

ଅନୁଭବ ନିତ୍ୟ ମୁଁ ପାଉଛି ।

ଲାସ୍ୟମୟୀ ଅପରୂପା ଲାବଣ୍ୟ ପ୍ରତିମା ବର୍ଷା 

 ଆସେ ଯେବେ ପାଦପାତି ଛନ୍ଦେ ଧୀରେ 

ନିକ୍ୱଣ ତା ବାଜି ଉଠେ ରିମ୍ ଝିମ୍ ସୁରେ,

 ଇନ୍ଦ୍ରଧନୁ ସପ୍ତରଙ୍ଗେ ମନ ଭରେ ଆକାଶ ଝଲସେ, 

ପୁଲକି ଉଠେ ପରାଣ ଜଡ଼ ପିଣ୍ଡେ ଜୀବନ ସଞ୍ଚରେ ।

ଏବେ କିନ୍ତୁ ଅନିଶ୍ଚିତ ସବୁ କିଛି ବିଶ୍ୱାସ ନିଶ୍ୱାସ

 ସ୍ୱାର୍ଥ ସୁଖ ଅହଙ୍କାର ଅନ୍ଧକାରେ ଦଶଦିଶ ଆତଙ୍କ ଜର୍ଜର, 

ଅବିଚାରେ ଖିନ୍ ଭିନ୍ ବର୍ଷା ରୂପଶିରୀ,

ବିଦୀର୍ଣ୍ଣ ତା ସବୁଜିମା ଅନିନ୍ଦ୍ୟ ତା ଚାରୁ କେଶ ପରିପାଟୀ 

ମନ ତା ବିଷାଦଗ୍ରସ୍ତ ନାହିଁ ଆଉ ପୂରୁବ ସରାଗ ।

ଅଭିମାନୀ ସାଗରୀକା ହେଉନାହିଁ ରଜପର୍ବେ ଆଉ ସଜବାଜ,

ନୟନରେ ପିନ୍ଧୁ ନାହିଁ କଜ୍ଜ୍ୱଳ କି ଆଖିରେ କୁଙ୍କୁମ, 

ମଧୁଛନ୍ଦେ ବରଷୁନି କଳକଳ ଅମୃତର ବାରିଧାର

 ସବୁଜ ସୁନ୍ଦର କ୍ଷେତେ ହସାଉନି ସୁନାର ଫସଲ ।

ଆଖି ତାର ଲୁହେ ଛଳଛଳ 

ମନେ ଉଠେ ପ୍ରଳୟ ଉଦ୍ ବେଳ ।

ହେ ପ୍ରିୟ ମାନବ ,ମନେ ବୃଥା ନ କର ଗୁମାନ 

 ବେଳ ଥାଉଁ ସମ୍ଭାଳ ନିଜକୁ

ବୁଝିବାକୁ ଚେଷ୍ଟାକର ଅଲୀଅଳି ବରଷାର ମନ, 

ସଙ୍ଖୋଳିଲେ ବରଷାକୁ ସ୍ୱଚ୍ଛନ୍ଦେ ସଦ୍ଭାବେ

 ହସିବ ପ୍ରକୃତିରାଣୀ ନିଖିଳ ଜୀବନ ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy