STORYMIRROR

Binapani Ray

Romance

4  

Binapani Ray

Romance

ବର୍ଷା !! ଗୋଟେ ଅମାନିଆ ଝିଅ

ବର୍ଷା !! ଗୋଟେ ଅମାନିଆ ଝିଅ

1 min
287

ଗଲାଥର ତୁମେ କହି ଯାଇଥିଲ 

ଗ୍ରୀଷ୍ମ ଛୁଟି ପରେ ଆସିବ, 

କିଛି ଇଛା ତୁମେ କରିଅଛ ପୂର୍ତ୍ତି 

କିଛି ଇଛା ତୁମ ରହିଅଛି ବାକି ।

ଆସିବ ଆସିବ କହି ଆସୁନ, 

ଆସିକି ଫେରି ଯାଉଛ , କହୁନ 

ଏଡିକି ଅମାନିଆ ତୁମେ ବର୍ଷା !!

କୁହ ! କେବେ ଆସିବ? 

ଗତ ମାସେ କହୁଥିଲ ତୁମେ ଏଥର ରଜରେ, 

ବୁଲିଯାଇ ନାହିଁ କେଉଁଆଡ଼େ

ଗୁଣ୍ଡିଚା, ବାହୁଡା଼, ରକ୍ଷାବନ୍ଧନ, ଖୁଦୁରୁକୁଣୀ, ଶ୍ରୀକୃଷ୍ଣଜନ୍ମ, ଗଣେଶ ଚତୁର୍ଥୀ ବୁଧେଇ ତିଥି 

ନାଚିବା ଗାଇବା ଭସାଣି ମେଢ଼େ  

ଭାବିଥିଲି ଶ୍ରାବଣୀ ଭାର ତୁମେ ମୁଁ 

ସାଥିହୋଇ ଲୋକନାଥ ନେବା 

ଖାଇ - ସମୁଦ୍ର କୂଳେ ଚା, ଝାଲମୁଢି, ବୁଟ 

କିଣି ଶଙ୍ଖ, ସଂଖମାଳି ଜଗନ୍ନାଥ ଫଟ

ଜଗାକୁ ଦେଖିକରି ସୀତାଫଳ, ଜାମୁକୋଳି 

ଫେରିବା ବାଟରେ ଧରି ଆସିବା 

ସ୍ୱର୍ଗ ତରଙ୍ଗିନୀ ତୁମେ ମନ ପୁଷ୍କରିଣୀ 

ତୁମ ସ୍ପର୍ଶେ ହୂଏ ଜଳାର୍ଣ୍ଣବ 

ଲହରେଇ ଲହରେଇ ପଣତ ଉଡେଇ 

ବହିଯାଏ ଝରଟିଏ ଅଙ୍କା ବଙ୍କା ହୋଇ 

ମାଟିର ମହକ 

ମନର ଆବେଗ 

ଛାତି ତଳ କ୍ଷତ କରେ ତୁମର ନିରବ  

ତୁମେ ଆସିବାଟା ଆମ ବାଲକୋନୀକୁ 

ପୁରା ସଫା ସଫା ଦିଶିଯାଏ 

 ଜହ୍ନି, କାକୁଡି, ଛଚିନ୍ଦ୍ରା, କଖାରୁ, ପୋଇ 

ଛତୁ, ଶାଗ ଖରଡ଼ା, ଚୁନା ମାଛ ରାଇ 

ନିଜ ହାତରେ 

ଖୁସି ମନରେ 

ରାନ୍ଧି ଖୋଇବ ବୋଉ ନିଇତି କୁହେ .

ଆସିବା ଖବରକୁ ଶୁଣି ବାଡ଼ିବଗିଚା 

ହସି ଉଠେ ନୂଆ ରୂପରେ ।

ଜୁଇ, ଜାଇ, ମାଳତୀ, କଦମ୍ବ, ଟଗର 

କାଶତଣ୍ଡୀ, କାମିନୀ, ହେନା, କନିଅର 

ସାଧବ ବୋହୁ 

ଲୁଟନା ଆଉ 

ସତେ ! ଅଳତା ନାଇଚି ମାଆ ପାଦରେ.

ଗହଳ କେଶରେ ବହଳ ଅନ୍ଧାର 

ବାଳ ଚିପା ଦିଶେ ସୁନାରଙ୍ଗ, 

ଓଦାକେଶୁ ଝରେ ଜଳ ଧାର ଧାର 

କଳା ମେଘୀ ଶାଢ଼ୀ ଛିଟ ପଣତର

ଇନ୍ଦ୍ରଧନୁ ନାଚେ 

ବିଜୁଳି ଝଟକେ 

ସାରୁ ବୁଦା ମୂଳେ ରାବଇ ବେଙ୍ଗ..

ଭଲପାଅ ତୁମେ ପାହାଡ ଝରଣା 

ବୃକ୍ଷ ଲତା, ଗୁଳ୍ମ ଜୀବ ଜଗତ ।

ଆକାଶ, ଧରିତ୍ରୀ, ସମୁଦ୍ର, ନଦୀ 

ତୁମ ପାଦ ଚି଼ହ୍ନ ଦିଶେ ସବୁଠି 

ଗହିର ବିଲ 

ହସେ ଫସଲ 

ପରଶେ ବଦଳେ ପ୍ରକୃତି ଚିତ୍ର ।

ଡେରି କର କିଆଁ ! ମନେ ରାଗିଛକି? 

ଆସିବା ବାଟକୁ ଚାହିଁ ରହିଛି

ଭାସୁନି ଗାଁ ଦାଣ୍ଡେ କାଗଜ ଡ଼ଙ୍ଗା 

ନାହିଁ କାସିଆ, କପିଳା, ବଳିଆ ଜଗା

ରାତି ଓ ଦିନ 

ଲାଗେ ଶ୍ରୀହୀନ 

ରାମ ଲଖଣ ଗୀତ ଚାଷୀ ଭୁଲିଛି.

କଥା ମୁଁ ଦେଉଛି ତୁମ ରାଣ ଖାଇ 

ଭଲ ପାଇ ହେବି ପ୍ରକୃତି ପ୍ରିୟ

ନକାଟି ଗଛ, ଜଙ୍ଗଲ ସୃଷ୍ଟି କରିବି 

ନଈ, ଗାଡ଼ିଆ, ସମୁଦ୍ର ସ୍ୱଚ୍ଛ ରଖିବି

ଧରଣୀ ପରେ 

ଭିଜ ଅଚିରେ 

କହିବିନି ବର୍ଷା ! ଗୋଟେ ଅମାନିଆ ଝିଅ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance