ସନ୍ତାନ ପାଇଁ ପଦେ
ସନ୍ତାନ ପାଇଁ ପଦେ


ଏ ଦୂର ଆକାଶେ ମିଞ୍ଜି ମିଞ୍ଜି ହସେ
ପାହାନ୍ତି ମଉଳା ଜହ୍ନ ,
ଏ ମନ ଆକାଶେ ଲିଭି ଲିଭି ଆସେ
ସ୍ମୃତି ମିଶା ମିଠା ସ୍ବପ୍ନ.
ମଉଳା ଜହ୍ନଟା କେତେ ସଜ ଥିଲା
ସଞ୍ଜୁଆ ଆକାଶେ ହସି,
କେତେ ତାରାଫୁଲ ରୋଷଣୀ ଲଗେଇ
ଘେରି ଥିଲେ ପାଶେ ବସି.
ଗଗନେ ଶୋଭିତ ଶୋଭା ପଟଚିତ୍ର
ନିଜ ନେତ୍ରେ ନିଜ ଚିତ୍ର,
ଇଚ୍ଛା ବଳେ ଇଛା ଚିତ୍ରଣ କରନ୍ତି
ଚାନ୍ଦ ଚାନ୍ଦିନୀ ସର୍ବତ୍ର.
କେ ' ଆଙ୍କଇ ମନେ ହାତୀ, ଘୋଡା ସିଂହ
ପାହାଡ, ଝରଣା , ବଣ,
କେ ' ଭାବଇ ବସି ଆକାଶେ ଆକାଶ
ଲୁଚକାଳି ଥାଏ ମନ.
କୁଆଁରୀ ପାଦର ରୁଣୁ ଝୁଣୁ ତାନେ
ପାଉଁଜି ସୁରର ତାଳେ,
ନବ ବିବାହିତା ଓଢଣା ତଳରୁ
ଶୀତଳ ମୁରୁଜ ବୁଣେ.
ଏଇ ଆକାଶରେ କେତେ ଚାନ୍ଦ ଆସି
ବିଛେଇ ଦେଇ ଚାନ୍ଦିନୀ,
ନୃତ୍ୟ, ସଂଗୀତରେ ଆସର ହଜାଏ
ପ୍ରେମିକ ମନ ମୋହିନୀ.
ମାମୁଁ ଘରେ ଚାନ୍ଦ ତାରା ମେଳେ ଲୁଚି
ମାଆଙ୍କ କଣ୍ଠରେ ବାଜେ,
କାନ୍ଦୁରା କୁନାକୁ ଶୁଆଇବ କିଏ,
ସ୍ନେହେ ଜହ୍ନ ମାମୁଁ ଖୋଜେ.
ପୁନେଇ ଜହ୍ନର ଜଲସା ଚାନ୍ଦିନୀ
କବି ପ୍ରାଣେ ଆଣେ ଭାବ,
ସ୍ରଷ୍ଠା ଓ ପ୍ରକୃତି ହୃଦେ ଜାଗେ ପ୍ରୀତି
କଲମେ ନବ ପଲ୍ଲଵ.
ପରଦେଶୀ ପତି , ପତି ସୁହାଗିନୀ
ପତି ପତ୍ନୀ ଙ୍କ ଆକୁଳେ,
ଚାନ୍ଦର ଚାନ୍ଦିନୀ ବାର୍ତ୍ତା ବିନିମୟେ
କପୋତ କପୋତୀ ମେଳେ.
କିଏ ଅବା ଦେଖେ ଖୋଲା ଆକାଶଟା
ସହେ କେତେ ଧୁ ଧୁ ତାତି,
ମଧ୍ୟାହ୍ନ ସୂର୍ଯ୍ୟର ବଡ ବାନଳ ରେ
ଜଳୁଥାଏ ନିତି ନିତି.
ନାହିଁ କାହା ଛାୟା କିଏ ଦେବ ରାହା
ମୁହୂର୍ତ୍ତେ ମୁହୂର୍ତ୍ତେ ସ୍ୱାହା,
ଧରି ରଖିବାର ନାହିଁତ ବିକଳ୍ପ
ପ୍ରକୃତି ନିୟମ ଯାହା .
ପିତା , ସନ୍ତାନର ମହାର୍ଘ ମିଳନ
ଅଶାନ୍ତିରେ ଆଣେ ଶାନ୍ତି ,
ଜୀବନ ଯନ୍ତ୍ରଣା ଲାଗୁଥିଲେ ମଧ୍ୟ
ସଂଘର୍ଷ କରଇ ନିତି.
ଲଢ଼ୁଛି ମଣିଷ ଲଢ଼ଇ ସୈନିକ
ତାଠାରୁ ଉଣା ! କି କିଆଁ,
ସକାଳରୁ ସଞ୍ଜ ସଞ୍ଜରୁ ଶୋଇବା
ଖୋଜେ ବଞ୍ଚିବାର ରାହା.
ମାଆ ବାବା ଠାରୁ କେ ବଡ ଅଛିରେ
ଅଛି ପଟାନ୍ତର କାହିଁ??
କେତେ ଦୁଃଖ କଷ୍ଟ ସହନ୍ତି ଉଭୟେ
ଅନୁଭବ ଜାଣି ଥାଇ.
ସବୁକିଛି ଜପ, ତପ , ପାପ ପୁଣ୍ୟ
ପଡେ ତାକୁ କରିବାକୁ,
ଫନ୍ଦି ଫିକର ରେ ଲୁଚେଇ ଛପେଇ
ଡ଼ରନ୍ତିନି ଲୁଟିବାକୁ. ନିଜ ପେଟ ପାଟି ଧୋବାଘରେ ରଖି
ସନ୍ତାନ ଭବିଷ୍ୟ ପାଇଁ
ରାତିଦିନ ଖଟି କାହା ତଣ୍ଟି କାଟି
ଲୋଭେ ରଖନ୍ତି ଜମେଇ.
ବୟସ ବେଳର ସବୁ ପାପଧନ
କୁକର୍ମ ଓ ସତକର୍ମ,
ଖାଲି ଗୋଟେ ଲକ୍ଷ୍ୟ ହୃଦୟ ଭିତରେ
କରୁଛି ପିତାର ଧର୍ମ.
ବଡ଼ଲୋକ ବଡ ପଦବୀ ପାଇଁକି
ଅକ୍ଲେଶରେ ସବୁ କରେ,
କେବେ ହାତଗୁଞ୍ଜା ନକଲି କାଗଜେ
ନକଲି ନମ୍ବର ଭରେ.
ସେଇ ପିଲା ଯେବେ ବଡ ହୋଇଯାଏ
ହାତକୁ ଦିହାତ ହୂଏ,
ପିତାମାତାଙ୍କର ସବୁ ବଳିଦାନ
ପାଣିଫାଟି ଭୁଲିଯାଏ.
ଏମିତି ହଜଇ ସଂସାର ଭିତରେ
ସତେକି ସଂସାର ବୋଝ,
ବୋହି ବୋହି ହୂଏ ହାଲିଆ ନୟାନ୍ତ
ପିଠିରେ ଫଳିଛି କୁଜ.
ପାହାନ୍ତି ଆକାଶ ମଉଳା ଜହ୍ନକି?
ସ୍ପନ୍ଦନ ଅନୁନି ମନେ?
ବୁଢା ବାପା ମାଆ ତ୍ୟାଗ ଓ ଯନ୍ତ୍ରଣା
ବହୁଛି ଆଖିର କୋଣେ.
ଆକାଶ ଓ ସୂର୍ଯ୍ୟ ଚାନ୍ଦ ଓ ଚାନ୍ଦିନୀ
ସଞ୍ଜୁଆ ଓ ରାତ୍ରି ତାରା,
ଚଳନ୍ତି ଠାକୁର ଆମ ପିତାମାତା
ସଭିଙ୍କୁ ନମିବା ପରା.
ବୀଣାପାଣି ରାୟ
ନିମାପଡା, ପୁରୀ.