ମା
ମା


ସେ ଶବ୍ଦଟି ଅମୃତମୟ ସେ ଡାକଟି ଅମୃତମୟ,
ଭାଷା ଓ ଭାବନା ଚିନ୍ତା ଓ ଚେତନା,
ତା ସ୍ପର୍ଶଟି ଅମୃତମୟ .
ଆମେ ଜାଣୁ "ମା " ଏତେ ଯେ ବିରାଟ
ସ୍ୱର୍ଗ ଠାରୁ ସେହି ବଡ,
ହିନମନ୍ୟତାର ଶିକାର ଆଜି ସେ
ଲାଜେ ଲୋଟେ ଦାଣ୍ଡ ବାଡ଼ .
ଶୁଣିଥିଲି ଗୀତ ନବମ ଶ୍ରେଣୀର
ଝିଅ ଛାତି ହଟ କରେ,
ଲୁଟି ହୋଇ କାନ୍ଦେ ଦାଣ୍ଡରେ ହାଟରେ
କୁଆଁରୀ ମାଆର ଡରେ .
ନିରାଶେ ଆଲୋକ ଆଶା ଠୁ ଅଧିକ
ତା ସ୍ଥାନଟି ଗାରିମାମୟ ଆଶୀର୍ବାଦରେ ମହିମାମୟ .
ମାଆ ଡାକିଦେଲେ ଶୁଭଇ କାନକୁ
କାହ୍ନlର ମୁରଲୀ ସ୍ଵନ,
ଯେତେ ଶୁଣୁଥିଲେ ଆଉ ଶୁଣିବାକୁ
ସତେ କି ମୀରା ଭଜନ .
ନାରୀଟିଏ ସେବେ ପୂର୍ଣ୍ଣତା ଲଭଇ
ଯେବେ ହୋଇଯାଏ ମାଆ,
ସତ୍ତା ଖୋଜେ କାନ୍ଦି କୁଆଁରୀ ମାଆଟି
ଆଶା ବଂଚିବାର ରାହା.
ବିପଦେ ବାନ୍ଧବୀ ମୁଖରେ ସୁରଭି
ତା ମୁଁହଟି ମମତାମୟ ବଳିଦାନରେ ଅପରାଜୟ.
ଓଷା ଓ ଉପାସ, ଯାତନା, ପ୍ରାର୍ଥନା, ସନ୍ତାନ ସମୃଦ୍ଧି ପାଇଁ,
କେବେ କାନ୍ଦୁଥାଏ କେବେ ଲଢ଼ୁଥାଏ ଭଗବାନ ପାଶେ ଯାଇ.
ଜୀବନର ଅର୍ଥ ନିଜେ ବୁଝେନାହିଁ
ମାତୃତ୍ୱ ବୁଝିବ କାଁହୁ,
ଲୋକହସା ଆଜି ନାରୀତ୍ୱ, ମାତୃତ୍ୱ
କାମାଦ୍ଧର ବଳ ବାହୁ.
ସ୍ନେହର ଝରଣା ଫୁଲର ଅଗଣା
ତା କୋଳଟି ବୈକୁଣ୍ଠମୟ, ତୁଳନାରେ ସେ ଅତୁଳନୀୟ.
ସନ୍ତାନ ଆସିଲେ ପରିବାର ମଧ୍ୟେ
ଖୁସିରେ ମନଟି ହଜେ,
ମରିବା ପାଇଁ କି କୁଆଁରୀ ମାଆଟି
ବିଷ, ନଈ, ନାଳ ଖୋଜେ.
ଅମୃତ ସନ୍ତାନ ଦୁର୍ଲଭ ଜୀବନ
ସୃଷ୍ଟି ଏହି ପୃଥିବୀରେ,
ଲଦି ଦିଅନାହିଁ କୁଆଁରୀ ମାତୃତ୍ୱ
ଖେଳ କୁଦ ବୟସରେ.
ସେ ମିଠା ସପନ ସେ ଅମୁଲ୍ୟଧନ
ତା ଦୃଷ୍ଟିଟି କରୁଣାମୟ,
ସେ ବିସ୍ମୟରେ ଅବିସ୍ମୟ
ବିକାଶରେ ଅଦ୍ୱିତୀୟ.
ବୀଣାପାଣି ରାୟ
ନିମାପଡା, ପୁରୀ.