ବର୍ଷା
ବର୍ଷା


ପୃଥିବୀ ମାଆର କୋଳକୁ ଆସଇ
ରାଜାପରି ଆଡ଼ମ୍ବରେ,
ହସ୍ତୀ ସମ ମେଘ ବିଜୁଳିର ଧ୍ବଜା
ଘଡ ଘଡି ମାଦଳରେ ||
ହାତେ ଇନ୍ଦ୍ରଧନୁ ବରଷାର ଶର
ଏପଟୁ ସେପଟୁ ମାରି,
ଶର ଗୁଣ ଶୁଭେ ବଜ୍ରନାଦ ସତେ !
ଗ୍ରୀଷ୍ମ ଯେ ପଳାଏ ଡରି ||
କାଖରେ କଳସ ଆଖିରେ ଅଳସ
ପର୍ବତ ଶିଖରେ ଝରେ,
ନିସୃତ ନିର୍ଝର ଝରେ ଝର ଝର
ନାଚି କୁଳୁ କୁଳୁ ସୁରେ ||
ନବ ପଲ୍ଲବର ନବ ତୃଣାଙ୍କୁର
ସାଧବ ବୋହୁର ଚାଲି,
ନାନା ବର୍ଣ୍ଣ ରତନେ ଭୂଷିତା ଯେପରି
ସୁନ୍ଦରୀ ରମଣୀ ଭଳି ||
ମୟୁର ମୟୂରୀ ନୃତ୍ୟେ ଆଲିଙ୍ଗନ
ବନରାଶି ନୀଳବର୍ଣ୍ଣ ,
ବାଲୁକା ଖଣ୍ଡର ହରିଣ ହରିଣୀ
ତୃଣା କୂଳେ ବିଚରଣ ||
ଢଳ ଢଳ ନେତ୍ର ଚପଳ ଚାହାଣୀ
ନୀଳୋତ୍ପଳ ପରି ଦିଶେ ,
ବିଜୁଳି ଝଟକେ ଚମକି ଉଠଇ
ଭୟେ ବନ ମଧ୍ୟେ ପଶେ ||
ପ୍ରଖର ସ୍ରୋତର ନଦୀ ତଟ ବୃକ୍ଷ
ଉପାଡି ସାଥିରେ ଧରି,
ସମୁଦ୍ର ଆଡକୁ ଧାଏଁ ଜଳ ସ୍ରୋତ
ବିଚ୍ଛେଦ ବିରହୀ ପରି ||
ମାଟି, ଧୂଳି, ତୃଣ ଗାଁ ଦାଣ୍ଡ ଦଳ
ନିମ୍ନ ମୂଖୀ ହୋଇ ବହେ,
ସତେ ! ସର୍ପ ଟିଏ ଅଙ୍କାବଙ୍କା ଯାଏ
ବେଙ୍ଗ ନାନୀ ଚାହିଁଥାଏ ||
କଦମ୍ବ, ଅର୍ଜୁନ, କେତକୀ, କାମିନୀ
ବକୁଳ ମାଳତୀ ଫୁଟି,
ଜୁଇ, ଜାଇ, କିଆ, ଟଗର, ଟାହିଆ
କବି ମନ ନିଏ ଲୁଟି ||
ଉତ୍ତାପ ବିହୀନ ରୋମାଂଚିତ ଭରା
ସୁଗନ୍ଧିତ ପବନରେ,
ମେଘ ମାଳ ଭରା ଜଙ୍ଗଲ ପାହାଡ
ନାଚୁଥାଏ ତାଳେ ତାଳେ ||
ଗହନ ବନର ବାସ୍ନାରେ ଆତୁର
ଲାଞ୍ଚୁଆ ଭ୍ରମର ଦଳ,
ପରଦେଶୀ ପତି ସ୍ମୃତି ରୋମନଃନେ
ଜାଳଇ ବରଷା କାଳ||
ଅଜାଡି ହୁଅନ୍ତି ମେଘ ଖଣ୍ଡ ମାନ
ଶୁଷ୍କ ପୁଷ୍କରିଣୀ ପୂର୍ଣ୍ଣ ,
ମୁକ୍ତାହାର ପରି ଶୋଭାପାଉଥାନ୍ତି
ସୁନ୍ଦରୀ ହଂସୁକୀ ଗଣ ||
ଟୋପା ଟୋପା ହୋଇ ଜଳ ବିନ୍ଦୁ ଯେବେ
ପୃଥିବୀ ଉପରେ ଝରେ,
ଆସିଲା ବରଷା ଚାଷୀଭାଇ ପ୍ରାଣେ
ନବ ଉଦ୍ଦିପନା ଭରେ ||
ବାଡିରୁ ବଗିଚା ବଗିଚାରୁ ବିଲ
ହେଉଥାଏ ତର ତର,
କରିବ ସେ ଚାଷ ହୋଇବ ସରସ
ଏହି ଚିନ୍ତା ମନେ ତାର ||
ବହୁଗୁଣର ଆଧାର ମନମୁଗ୍ଧକର
ରମଣୀୟ କମନୀୟ ,
ବୃକ୍ଷଲତା, ପ୍ରାଣୀ ପ୍ରାଣର ସ୍ୱରୂପ
ବର୍ଷା ! ସତେ ତୁମେ ଲୋଭନୀୟ ||