STORYMIRROR

Binapani Ray

Others

5.0  

Binapani Ray

Others

ହେ ନାରୀ

ହେ ନାରୀ

1 min
3.7K


ପେଥାଇ ସ୍ପର୍ଶର ଶୀତୁଆ ସଞ୍ଜରେ

ସଳିତାଟି ହାତେ ଧରି,

ଜଗନ୍ନାଥ ପାଦେ ଜାଳି ଦେଉ ଦେଉ

ବାଲକୋନୀ କି ଗଲି ଫେରି.

ଦାଉ ସାଧୁଥିଲା ମେଘର ବେଗଟା

ଶୀତ କୋପ ସାଥେ ମିଶି,

ଖୋଜୁଥିଲା ଆଖି ଶୀତବସ୍ତ୍ର ଟିଏ

ଆଣିବ କାହୁଁ ସାଉଁଟି.

ହଠାତ ଶୁଣିଲି ପଡୋଶୀଙ୍କ ପାଟି

ଅସଭ୍ୟ ଅଶ୍ରାବ୍ୟ ଭାଷା

ଆଶ୍ଚମ୍ବିତ ହେଲି କଦର୍ଯ୍ୟ ସେ ଦୃଶ୍ୟ

ଛାଡିଲା ଶୀତର ନିଶା.

କେତେ ଛୋଟ ଝିଅ ଡର ନାହିଁ ମନେ

କେମିତି ଆସିଲା ଘରୁ

କାହାକୁ ନିଜର ଏତେ ସେ ଭାବିଲା

ଖସିଲା ନିଜ ନଜରୁ.

ନିତି କେତେ କଥା ଘଟେ ଯେ ଘଟଣା

ଅଛପା ଅଛି କାହାକୁ

ତଥାପି ଶିଖିବା ଆଉ ବାକି ଅଛି

ଲାଜ ଲାଗୁଛି ନିଜକୁ.

ବିଜ୍ଞାନାଗାରରୁ ନାରୀ ଯାଇ ଫେରି

ଚନ୍ଦ୍ର ମଣ୍ଡଳରୁ ଆସି,

କୂଟନୀତି ବେଳେ କୌଟିଲ ହରାଇ

କରେ ରାଜନୀତି ବସି.

ଗଣିତ ସାହିତ୍ୟ ଅର୍ଥନୀତି ତର୍କ

ବାଣିଜ୍ୟ କଳା କୌଶଳରେ,

ବିଦ୍ୟାଦାନ ଖେଳ କସରତେ ଶ୍ରେଷ୍ଠ

ପ୍ରତିରକ୍ଷା ବିଭାଗରେ.

ଶିକ୍ଷା ଓ ଚେତନା ଆତ୍ମରକ୍ଷା ବିନା

ଦେଇ ପାରିବ ସୁରକ୍ଷା,

ନିଜ ଆତ୍ମଶକ୍ତି ଜାଗୃତି କରିଲେ

ଦୁର୍ଜନେ ପାଇବେ ଶିକ୍ଷା.

ଦେଢ଼ମାସ ଶିଶୁ କୋମଳ ଶରୀରେ

ମେଣ୍ଟାଏ ମନର ଗନ୍ଧ,

ଯେଉଁ ପାପ ଆଖି ପଡୁଚି ସେଠାରେ

ଫୁଟାଇ କରଯେ ଅନ୍ଧ.

ନିଜ ସ୍ୱାଭିମାନ ଆତ୍ମାସନମାନ

ବଳିଦିଅ ନାହିଁ କା 'ରେ,

ଯେଉଁ ହାତ ଲୁଟେ ଭାଙ୍ଗ ସେ ହାତକୁ

ରଖ ନାହିଁ ତା ବାହୁରେ.

ନିଜ ହାତେ ନିଜ ଭାଗ୍ୟ ଭବିଷ୍ୟତ

ସମାଜ ଓ ପିତାମାତା,

ଖୁସି ହେବେ ରାଣୀ ଲକ୍ଷ୍ମୀବାଇ ଅଟେ

ତାଙ୍କ ଅଲିଅଳି ସୁତା.

ଅନ୍ୟାୟ ବିରୁଦ୍ଧେ ଲଢୁଥାଅ ସଦା

ସାଜି ମହିଷା ମର୍ଦ୍ଧିନୀ,

ନୀତି ସିଦ୍ଧାନ୍ତକୁ ଅସ୍ତ୍ର କରି ତୁମେ

ହୁଅ ଜଗତଜନନୀ.

ଭୋଗ୍ୟବସ୍ତୁ ସାଜି ଭୋଗ ହୁଅନାହିଁ

କଣ୍ଢେଇ ହାତେ କାହାର,

ବିଷ କି ରଶିରେ ତେଜାଵ ନିଆଁରେ

ଅସ୍ତ୍ରେ ନକଟୁ ଶରୀର.

ନିଜ ଅଧିକାର ଦାନେ ଦିଅନାହିଁ

ହାତ ମାଛ ଚିଲେ ଦେଇ,

ୟା ପାଦ ତାପାଦ କାନ୍ଦି ଲୋଟୁଥିବ

ଆତ୍ମା ଅସ୍ତିତ୍ବ ହଜେଇ.

ତୁମେ ଯୋଗମାୟା ଭୈରବୀ ବିଜୟା

ତୁମେ ବେଦ ଓ ସହିଁତା,

ତୁମେ ଅଟ ଗୀତା, ତୁମେ ଭାଗବତ

ତୁମେ ତ ଜଗତମାତା.


ବୀଣାପାଣି ରାୟ

ନିମାପଡ଼ା,ପୁରୀ






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍