ବର୍ଷା ଗୋ !
ବର୍ଷା ଗୋ !
ବର୍ଷା ଗୋ !
ଚାହଁ ତ ଥରେ !
ଅନିନ୍ଦ୍ୟ ଅପରାଜିତା
ଭିଜୁଅଛି ତୁମରି ଈର୍ଷାରେ !
ସେ ଈର୍ଷାରେ
ମେଘର କଟାକ୍ଷ
ଅର୍ଦ୍ଧ-ନୀଳ ଆକାଶରେ
ଛପିଛପି ଲୁଚକାଳି ଖେଳେ !
ପାଦେ ତୁମ ,
ରିମ୍ ଝିମ୍ ରୁପାର ପାଉଁଜି !
ଅଳସୀ ଆଖିରେ ତୁମ ,
ମନ୍ଦ ମନ୍ଦ ମହ୍ଲାର-ଚାହାଣି !
ସତେ , ବର୍ଷା !
ସ୍ୱପ୍ନର ସୁନ୍ଦରୀ
ତନ୍ଦ୍ରାଭରା ନୀଳ ନୟନରେ
ନିଭୃତେ , ତା' ଶୁଣାଏ ରାଗିଣୀ !
ବର୍ଷା ଗୋ !
କୁହ ତ ସଖି !
ଅଧରର ହସ ତୁମ
ଆଣିଛ କି ମେଘଠୁ ଉଧାର ?
ଛଳନାରେ ,
ଅଳସୀ ଆଖି ଦେଖାଇ
ଅଳପେ ଉଭେଇ ନେବ
ଅର୍ଦ୍ଧଭିଜା ସ୍ବପ୍ନକୁ ମୋହର ?
ଯାଉ ପଛେ
ଲିଭିଯାଉ ସ୍ୱପ୍ନ
ଅଳପ ହସକୁ ଧରି
ଆସିଲ ତ ନିଜକୁ ସଜେଇ !
ଭାବନାରେ
ତୁମରି ରୂପକୁ
ରୂପସୀ ସୁନ୍ଦରୀ ପରି
ଅବିରତେ ଦେଲି ମୁଁ ହଜେଇ !
ହଜେଇଲି ,
ମୋ' ଏକଲାପଣ
ଏକା ଏକା , ଝୁମିଝୁମି
ତୁମ ମୃଦୁ ପ୍ରୀତିର ପରଶେ !
କୁହ ବର୍ଷା !
କହିଦିଅ ଥରେ
ସ୍ମିତ ହସ ପାଖୁଡାରୁ
ସେ ପରଶେ ଫୁଲ କି ବରଷେ ?
ସେ ଫୁଲକୁ
ସ୍ୱର୍ଗ ପାରିଜାତ
ସରଗର ସଉତୁଣୀ ପରି
ଈର୍ଷା କରେ ହାରି ଆଭିଜାତ୍ୟ !
କୁହ ବର୍ଷା
ପ୍ରିୟତମା ସାଜି
ମେଘର ଓଢଣୀ ରଙ୍ଗେ
ରହିବ କି , ହୋଇ ମନମିତ ?
ଭିଜିବି ମୁଁ
ତୁମକୁ ଭିଜେଇ
ମନର ଗବାକ୍ଷ ଦେଇ
ଚାହୁଁଥିବି ତୁମକୁ ସଜେଇ !
ସଜେଇବି ,
ନଖ ଦର୍ପଣରେ
ତୁମ ସ୍ମୃତିଛବି ଆଙ୍କି
ନିଜକୁ ମୁଁ ଦେବି ଗୋ ହଜେଇ !