ବର୍ଷ ଶେଷର କବିତା
ବର୍ଷ ଶେଷର କବିତା
ସରି ଆସିଲାଣି ବାଇଶି ମସିହା
ତେଇଶି ଆସିବ ପୁଣି,
ଆୟୂଷ ସରୁଛି ସମୟ ସାଥୀରେ
ହେଉନାହିଁ ପରା ଜାଣି ।
ଆସ ହେ ବନ୍ଧୁ ! ବସିବା ଟିକିଏ
କଥା ଦୁଇପଦ ହେବା,
କମିଯିବ ଦୁଃଖ ଵାଣ୍ଟିଦେଲେ ପରା
ଦୁଃଖ ସୁଖ ବାଣ୍ଟିନେବା ।
କାହିଁପାଇଁ ଏତେ ମାନ ଅଭିମାନ ?
ଜୀବନ ଯାଉଛି ସରି,
ଥରେ ଛୁଟି ଗଲେ ପିଣ୍ଡରୁ ପରାଣ
ଆସିବନି ଆଉ ଫେରି ।
ବନ୍ଧୁ ହେ ! ତୁମେ ସତେ କି ଵୁଝନା ?
ଦରଦୀ ମନର କଥା,
କହି ହୁଏ ନାହିଁ କାହା ଆଗେ ସିନା
ମିଳୁଥାଏ ଖାଲି ବ୍ୟଥା ।
ହୁଏତ ନଥିବି କାଲି ତୁମସହ
ଯାଇଥିବି ଆଗୁଁ ଫେରି,
ତୁମ ସ୍ନେହ ଶ୍ରଦ୍ଧା ନଥିବ ମୋ ସହ
ତାକୁ ହେଉଥିବି ଝୁରି।
ଫୁଲ ଫୁଟି ବାସ ଚହଟାଉଥିବ
ପକ୍ଷୀ ଗାଉଥିବ ଗୀତ,
ସବୁ ଚାଲିଥିବ ପୂର୍ବପରି କିନ୍ତୁ
ମୁଁ ତ ନଥିବି ରେ ମିତ ! ।
ଏ ଧରାରେ ସିନା ନଥିବି ବନ୍ଧୁ !
ତୁମ ଆଖପାଖେ ଥିବି,
ନଦୀତଟେ ଅବା ପାହାଡ଼ ପାଖରେ
ଜୋଛନାରେ ଭିଜୁଥିବି ।
ଅବା ବସିଥିବି ପ୍ରଭୂଙ୍କ ଦୁଆରେ
ନୟନରେ ନୀର ଭରି,
ଦୂରୁ ଦେଖୁଥିବି ପତିତପାବନ
କରୁଣାସିନ୍ଧୁ ମୁରାରି ।
ମନମାରି ଏକା ବସିଥିବି ଅବା
ଚା' କପଟିଏ ଧରି,
ଥରେ ଡାକିଲେ - ମୁଁ ପବନରେ ତୁମ
ପାଖକୁ ଆସିବି ଫେରି - ତୁମ ସ୍ବର ଅନୁସରି ।
