ବୃକ୍ଷଟିଏ ମୁଁ
ବୃକ୍ଷଟିଏ ମୁଁ
ବୃକ୍ଷଟିଏ ମୁଁ ସୃଷ୍ଟି ହୋଇଛି
ଏହି ଧରଣୀ ପୃଷ୍ଠରେ
ନାନା ଝଡଝଞ୍ଜା ସହି ମଧ୍ୟ ଆଜି
ଠିଆ ହୋଇଛି ଏଠାର
ଯତ୍ନ ମୋର କିଏ ନେଉ ବା ନନେଉ
ନିଜ ଯତ୍ନ ନିଜେ ନିଏ
ନିଜ ଖାଦ୍ୟପେୟ ପାଇଁ କା ଉପରେ
ନିର୍ଭର ମୋର ନଥାଏ
ଖରା ବରଷା ବା ଶୀତ କାକରକୁ
ନଥାଏ ମୋର ଡର
ନିଜେ କଷ୍ଟ ସହି ଦାନ କରିଥାଏ
ଛାୟା ସହ ଫଳ ମୋର
ମୋ ଡାଳରେ ବସା ବାନ୍ଧି ରହିଛନ୍ତି
ଆସି ନାନା ଜାତି ପକ୍ଷୀ
କାହାରିକୁ ମନା କରିନାହିଁ କେବେ
ସମୟ ରହିଛି ସାକ୍ଷୀ
ଅଙ୍ଗାରକାମ୍ଳ ମୁଁ ଗ୍ରହଣ କରଇ
ତ୍ୟାଗ କରେ ଅମ୍ଳଜାନ
ପ୍ରାଣୀମାନଙ୍କର ଜୀବନ ଧାରଣ
ପାଇଁ ଏହା ପ୍ରୟୋଜନ
ମଣିଷ ଜାତିର ବହୁ ଉପକାର
କରିଥାଏ ମୁଁ ଜୀବନେ
ହେଲେ ଏ ମଣିଷ ମୋ ପାଇଁଁକି ଦୟା
ରଖେନାହିଁ ଟିକେ ମନେ
ନିଜ ସ୍ୱାର୍ଥ ପାଇଁ ହାଣିନିଏ ଡାଳ
କାଟିନିଏ ମୋର ପତ୍ର
ଅଙ୍ଗଛେଦ ହେଲେ କେତେ କଷ୍ଟ ହୁଏ
ଜାଣେ ଏ ପ୍ରାଣୀ ଜଗତ
କେତେ ବଖାଣିବି ନିଜ ଆତ୍ମକଥା
କହିଲେ ସରିବ ନାହିଁ
କହିଲେ କି ଲାଭ ଦୁଃଖକୁ ଲାଘବ
କରିବାକୁ କେହି ନାହିଁ
ବୃକ୍ଷଭାବେ ଜନ୍ମ ନେଇଛି ଧରାରେ
କରିଯିବି ମୋର କର୍ମ
ହେଉପଛେ ଏଇ ମଣିଷ ଜାତିଟା
ମୋ ପାଇଁକି ନିରିମମ
